କୋଣାର୍କ ୨୦।୧୧ : କୋଣାର୍କ ବସଷ୍ଟାଣ୍ଡ ସ୍ଥିତ କୋଣାର୍କ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ, ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ କୋଣାର୍କ ଉତ୍ସବ ଅବସରରେ ଆସନ୍ତା ଡିସେମ୍ବର ୩ତାରିଖରେ ସ୍ବଚ୍ଛ ଓ ସବୁଜ କୋଣାର୍କର ବାର୍ତ୍ତା ନେଇ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମି ଠାରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ଏକ ବେଳାଭୂମି ପଦଯାତ୍ରା ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ସାମ୍ବାଦିକସଂଘ ପକ୍ଷରୁ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମର ଏକ ପ୍ରସ୍ତୁତି ବୈଠକ ସଂଘର ସଭାପତି ଜ୍ୟୋତିରାଜ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୋଭିଡ କଟକଣା ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ୫୦ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଛି। ଚଳିତ ବର୍ଷ ସ୍ବଚ୍ଛ ଓ ସବୁଜ କୋଣାର୍କର ବାର୍ତ୍ତା ନେଇ ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ପର୍କରେ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆଜିକା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ସଂଘର ମୁଖ୍ୟ ଉପଦେଷ୍ଟା ମାନସ ରଞ୍ଜନ ପାତ୍ର, ଉପଦେଷ୍ଟା ଅକ୍ଷୟ କୁମାର ନାୟକ, ସଂଘର ସଂପାଦକ ମନୋରଞ୍ଜନ ପଣ୍ଡା, ଉପସଭାପତି ଭାଗୀରଥୀ ସ୍ୱାଇଁ, କୋଷାଧ୍ୟକ୍ଷ ଅଜିତ କୁମାର ମଲ୍ଲିକ, ସାମ୍ବାଦିକ ସନ୍ତୋଷ ରଂଜନ ରାୟ, ପ୍ରତାପ କୁମାର କାଣ୍ଡି, ପ୍ରଦୀପ କୁମାର ଛାଟୋଇ, ସୁକାନ୍ତ କୁମାର ବିଶ୍ବାଳ, ଗଣେଶ ଚନ୍ଦ୍ର ବେହେରା, ପ୍ରମୋଦ ଗୋଛାୟତଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ଯ ସଭ୍ଯା ମାନେ ଉପସ୍ଥିତ ଥିଲେ।