ପୁରୀ ନିଆଁ : ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ

ପୁରୀ : ପୁରୀରେ ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ । ଦୀର୍ଘ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ ।ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍‌ ଉଦ୍ଧାର କାର୍ଯ୍ୟରେ ହେଲା ନିୟୋଜିତ । ଯଦିଓ କୌଣସି ଜୀବନ ହାନି ହୋଇନାହିଁ । କିନ୍ତୁ ଧୀରେ ଧୀରେ ବିପଦଶଙ୍କୁଳ ହେଉଛି ପୁରୀ ସମ୍ରାଟ ମାର୍କେଟ କଂପ୍ଲେକ୍ସ କୋଠା । ନିଆଁର ଉତ୍ତାପ ଏତେ ମାତ୍ରାରେ ରହିଛି ଭିତରକୁ ନିଆଁଲିଭା ଟିମକୁ ଯିବାପାଇଁ ନାକେଦମ ହେବାକୁ ପଡୁଛି । ଭିତର ବନ୍ଦ ରହିଥିବା କୋଠରୀର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି । ଏବଂ ଉତ୍ତାପର ପରିମାଣ ଏତେ ଅଧିକା ରହିଛି ଦୋକାନର ସଟର କିଛି ମାତ୍ରାରେ ତରଳିବାରେ ଲାଗୁଛି । ଏବଂ କିଛି କାଚ ମଧ୍ୟ ନିଆଁ ପ୍ରଭାବରୁ ଫାଟୁଥିବା ଜଣାପଡୁଛି ।ତେଣୁ ଭିତର ବନ୍ଦ ହୋଇ ରହିଥିବା ଦୋକାନ ସବୁର ସଟର କାଟି ନିଆଁ ଲିଭାଇବା ପାଇଁ ଆପ୍ରାଣ ଚେଷ୍ଟା କରାଯାଉଛି । ସେପଟେ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ଏବଂ ପୁରା ଫାୟାର ଟିମ ନିଜର ଦମ ଲଗାଇଛନ୍ତି । ଓଡ୍ରାଫ ଟିମ ମଧ୍ୟ ନିଜର ପ୍ରଚେଷ୍ଟା ଜାରି ରଖିଛି । ସେପଟେ ଅନେକ ପର୍ଯ୍ୟଟକଙ୍କ ଆସବାବପତ୍ର ଏବେ ଭିତରେ ରହିଛି । ଅନ୍ୟପଟରେ ଭିତରେ ଗୋଟିଏ ବ୍ୟାଙ୍କ ର ଶାଖା ରହିଥିବାରୁ ଏବେ ସେଠି କୌଣସି କ୍ଷତି ହୋଇଛି କି ନାହିଁ ସେନେଇ ମଧ୍ୟ ଆଶଙ୍କା ରହିଛି ।


ପୁରୀ ଶ୍ରୀମନ୍ଦିର ଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂରରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଯିବା ଯୋଗୁଁ ପୁରୀ ମରଚେଇକୋଟ ଛକ ନିକଟ ବଡଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସଟି ଗତକାଲି ରାତିରୁ ଜଳୁଛି । ଏକ ଲୁଗା ଦୋନାନରେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ତିନି ମହଲା ବିଶିଷ୍ଟ ଏହି କଂପ୍ଲେକ୍ସରେ ଗୋଟିଏ ବ୍ୟାଙ୍କ, ଜୁଏଲେରୀ , ଲୁଗାଦୋକାନ ସହ ଅନେକ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ବେଳେ ବଳଭଦ୍ର ଅତିଥି ଭବନ ମଧ୍ୟ ଲାଗି ରହିଛି । ଗତକାଲି କଂପ୍ଲେକ୍ସରେ ଥିବା ହୋଟେଲ ସମ୍ରାଟରେ ରହିଥିବା ମହାରାଷ୍ଟ୍ର ଓ ଓଡିଶାର ପ୍ରାୟ ତିନିଶହ ଭକ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । କେହି ମୃତ୍ୟୁ ବରଣ କରିନଥିଲେ ମଧ୍ୟ ଜଣେ ଭିନ୍ନକ୍ଷମଙ୍କ ସମେତ ତିନି ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସୁନାଦୋକାନୀ ଗହଣା ଓ ତାର ସମସ୍ତ ଆସବାବପତ୍ର ଖାଲି କରିଦେଇଛନ୍ତି । ତେବେ ଗହଣା ଗାଣ୍ଠି ଉଦ୍ୟମ ଓ ଉଦ୍ଧାର କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ୪ଜଣଙ୍କୁ ଉଠାଇ ନେଇଛି ପୁଲିସ । ସେପଟେ ଗତକାଲି ଠାରୁ ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୬ଟି ଦମକଳ ବାହିନୀ ଅପରେସନ ଜାରି ରଖିଛନ୍ତି । ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ଅଗ୍ନିଶମ ବିଭାଗର ୫ରୁ ଉର୍ଦ୍ଧ୍ୱ କର୍ମଚାରୀ ଅଣନିଶ୍ୱସୀ ହେବା ସହ ଆହତ ହୋଇଛନ୍ତି । ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର କିଟ୍‌ ଯୋଗାଇ ଦିଆଯାଇଛି । ଯାହା ଦ୍ୱାରା ନିଆଁ ଲାଗିଥିବା ସ୍ଥଳରେ ପହଞ୍ଚିବା ସମ୍ଭବ ହୋଇପାରିଛି । ଘଟଣାସ୍ଥଳରେ ଡେପୁଟି ଅଗ୍ନିଶମ ବିଭାଗ ଅଫିସର, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସପି ମିହିର ପଣ୍ଡା, ସିଟିଡିଏସପି, ଟାଉନଥାନା ଆଇଆଇସି ଗୋକୁଳାନନ୍ଦ ଦାସ, କୁମ୍ଭାରପଡା ଥାନାଧିକାରୀ, ସିଂହଦ୍ୱାର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି ।
ତେବେ ଯେହେତୁ ସିମେଣ୍ଟ ଚଟାଣ ଓ କାନ୍ଥରେ ନିଆଁ ଲାଗିଛି ଏହା ଧିରେ ଧିରେ ବିସ୍ତାରିତ ହେବାରେ ଲାଗିଛି । ଏହି ନିଆଁକୁ ଲିଭାଇବା ପାଇଁ ଦମକଳ ବାହିନୀକୁ ନାକେଦମ ହେବାକୁ ପଡୁଛି । ତେବେ ବଡଦାଣ୍ଡରେ ଏଭଳି ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି । ବଡଦାଣ୍ଡ ଦୁଇପାର୍ଶ୍ୱରେ ବହୁ ବର୍ଷର ପୁରୁଣା କୋଠା ରହିଛି । ଏଥିରେ ଇଲେକ୍ଟ୍ରୀ ଓ ଫାୟାର ସେପ୍ଟି ବ୍ୟବସ୍ଥା ବେଶ୍‌ ଦୁର୍ବଳ । ରଥଯାତ୍ରା ଓ ବିଭିନ୍ନ ପର୍ବପର୍ବାଣି ସମୟରେ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥାଏ । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଯେତିକି ଗୁରୁତ୍ୱ ଦେବା କଥା ଦିଆଯାଉନାହିଁ । ଫଳରେ ଯଦି ଏଭଳି ଦୁର୍ଘଟଣା ଘଟେ ବଡଧରଣର ଅଘଟଣ ଘଟିବାର ଆଶଙ୍କା ରହିଛି । ତେବେ ଏବେଠୁଁ ସତର୍କ ହୋଇଯିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Comments (0)
Add Comment