ପୁରୀ ଶ୍ରୀମନ୍ଦିର ଓ ଏକାମ୍ରର ଐତିହ୍ୟ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ମହାମାରୀ ପରିପ୍ରେକ୍ଷୀରେ ସାଧାରଣ ଜୀବନ ଅସ୍ୱାଭାବିକ ହେବା ତଥା ଲକଡାଉନ ଯୋଗୁଁ ଅଟକୀ ରହିଥିବା ପୁରୀ ଶ୍ରୀମନ୍ଦିରର ଐତିହ୍ୟ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବଂ ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆସନ୍ତା ୨୯ ତାରିଖରୁ ଏହି ଦୁଇ ଐତିହ୍ୟ ସହରର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ । ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଦୁଇ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଦୁଇ ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଣୁ ଏହାକୁ ସ୍ୱତନ୍ତ୍ର ଭାବରେ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଐତିହ୍ୟ ପ୍ରକଳ୍ପଗୁଡିକ ମଧ୍ୟରେ ଆସୁଥିବା ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧୀ ମାର୍କେଟ କଂପ୍ଲେକ୍ସ ଏବଂ ମୂଷନଦୀର ସଂପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇନାହିଁ । ଆଉ ଅଳ୍ପ କେତେକ ଜମିର ଅଧିଗ୍ରହଣ କାର୍ଯ୍ୟ ବଳକା ରହିଛି । ଏହା ଖୁବଶୀଘ୍ର ଅନ୍ତତଃ ପକ୍ଷ ଦୁଇରୁ ତିନି ମାସ ମଧ୍ୟରେ ଶେଷ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥି ସହିତ ଶ୍ରୀଜଗନ୍ନାଥ ମନ୍ଦିର ହେରିଟେଜ କରିଡର, ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଲ୍ଡିଂର ପୁର୍ନବିକାଶ, ଜଗନ୍ନାଥ ସଂସ୍କୃତି କେନ୍ଦ୍ରର ସୌନ୍ଦର୍ଯ୍ୟକରଣ ଆଦି ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିରର ପ୍ରକଳ୍ପ ପାଇଁ ଜମିଅଧିଗ୍ରହଣ କାଯର୍କ୍ୟ ବାକି ରହିଛି, ଖୁବଶୀଘ୍ର ଏହାକୁ ଶେଷ କରାଯିବା ସହିତ ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତ୍ତୀ ଅଂଚଳର ବିକାଶ, ଏହାର ଡିଜାଇନ୍ ମଧ୍ୟ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଲୋଚନା ବେଳେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ବିନ୍ଦୁ ସାଗର ସମେତ ଅନ୍ୟାନ୍ୟ ତୀର୍ଥ ପୁସ୍କରଣୀର ଜଳକୁ ବିଶୋଧନ ତଥା ସ୍ୱଚ୍ଛ, ନିର୍ମଳ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଏହି ସମୟରେ ଇଣ୍ଡିଆନ କେମିକାଲ ଇନ୍‌ଷ୍ଟିଚ୍ୟୁଟ ସହିତ ଏ ନେଇ ଶୀଘ୍ର ବୁଝାମଣା କାର୍ଯ୍ୟ ଶେଷ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍ ବାଲକ୍ରିଷ୍ଣ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତି ସଚିବ ତଥା ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment