ନିୟମ ଉଲ୍ଲଙ୍ଘନ ପାଇଁ ଚାନ୍ଦବାଲି ବିଧାୟକଙ୍କ ଗାଡିକୁ ୨ ହଜାର ଟଙ୍କା ଫାଇନ

ପୁରୀ,୭/୧୦- ଶ୍ରୀମନ୍ଦିର ସମୁଖ ରାସ୍ତାରେ ବିଧାୟକଙ୍କ କାର ନିୟମ ଉଲଘଂନ କରି ପ୍ରବେଶ କରିବା ଘଟଣାକୁ ନେଇ ପୁରୀ ପୋଲିସ ଚାଲାଣ କାଟିଛି । ଭଦ୍ରକର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କାରକୁ ପୁରୀ ପୋଲିସ ୨ ହଜାର ଟଙ୍କା ଫାଇନ କରିଛି । ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପୁରୀ ଏସପି କେ ବିଶାଳ ସିଂଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଗତ କିଛି ଦିନ ତଳେ ଶ୍ରୀମନ୍ଦିର ଚାରିପାଖରେ ଭିଡ଼କୁ ଦୃଷ୍ଟିରେ ରଖାଯାଇ ନୋ ପାର୍କିଂ ଯୋନ କରାଯାଇଥିଲା । ସେହିପରି ଶ୍ରୀମନ୍ଦିର ସମୁଖରେ କୌଣସି କାର ଯାତାୟାତ ନେଇ କଟକଣା ଜାରି କରାଯାଇଥିଲା । ଏହାକୁ ଉଲ୍ଲଂଘନ କଲେ ପୁରୀ ପୋଲିସ ପକ୍ଷରୁ ପ୍ରତିଦିନ ପାଟ୍ରୋଲିଂ କରାଯାଇ ଫାଇନ କଟାଯାଉଛି । ତେବେ ଆଜି ବିଧାୟକଙ୍କ ଗାଡି କିଭଳି ଶ୍ରୀମନ୍ଦିର ସମୁଖରେ ପ୍ରବେଶ କଲା ସେ ନେଇ କିଛି ସ୍ୱେଚ୍ଛାସେବୀ ସୋସିଆଲ ମିଡିଆ ଭିଡିଓ ଛାଡ଼ି କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ । ପରେ ପୁରୀ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ବିଧାୟକଙ୍କ ଗାଡିକୁ ୨ ହଜାର ଟଙ୍କା ଜୋରିମାନା କରାଯାଇଛି ।

Comments (0)
Add Comment