ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ

ପୁରୀ,୨୬/୨- ଜିଲ୍ଲାରେ ଚଳିତବର୍ଷ ଆସନ୍ତାକାଲି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଆସନ୍ତାକାଲି ବୁଥ ସ୍ତରରେ ଏବଂ ୨୮ ଓ ମାର୍ଚ୍ଚ ପହିଲାରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦିଆଯିବ । ଚଳିତବର୍ଷ ଏହି ଅଭିଯାନରେ ଜିଲ୍ଲାର ୧,୮୫,୯୦୧ ଜଣ ଶିଶୁଙ୍କୁ ବୁନ୍ଦା ଦିଆଯିବ । ଟିକାଦାତା ମାନେ ୩,୬୮,୮୦୫ ଘର ଘର ବୁଲି ପୋଲିଓ ବୁନ୍ଦା ପ୍ରଦାନ କରିବେ । ସହରାଞ୍ଚଳରେ ୫୫,୧୦୦ ଓ ଗ୍ରାମାଞ୍ଚଳରେ ୧,୩୦,୮୦୧ ଜଣଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଏଥିପାଇଁ ୭୬୬ଟି ବୁଥ ପ୍ରସ୍ତୁତ ରହିଛି । ସେହିଭଳି ଉକ୍ତ ଦିନ ଗୁଡିକରେ ଜିଲ୍ଲା ବାହାରୁ ଆସୁଥିବା ଶିଶୁ ମାନଙ୍କୁ ବୁନ୍ଦା ଦେବା ନିମନ୍ତେ ଶ୍ରୀମନ୍ଦିର ନିକଟସ୍ଥ, ବସଷ୍ଟାଣ୍ଡ, ଷ୍ଟେସନ, ଶ୍ରୀମନ୍ଦିର ଓ ଅନ୍ୟ ଜନଗହଳି ଭଳି ୫୬ଟି ସ୍ଥାନ ଚିହ୍ନଟ କରାଯାଇଛି । ଏଥିସହ ୨୪ ଟି ଭ୍ରାମ୍ୟମାଣ ଦଳ ସାମିଲ ରହିବେ । ଏହି ଅଭିଯାନରେ ୩,୦୬୪ ଜଣ ବୁନ୍ଦା ପ୍ରଦାନକାରୀ ଓ ୧୬୨ ଜଣ ସୁପରଭାଇଜରଙ୍କ ସମେତ ୩୩୮୬ ବ୍ୟକ୍ତି ଓ ଅଙ୍ଗନୱାଡି କର୍ମୀ ସାମିଲ ରହିବେ । କୋଭିଡ କଟକଣା ମଧ୍ୟରେ ଏହି ଅଭିଯାନ ଜାରି ରହିବ ଏବଂ ପ୍ରତ୍ୟେକ ବୁଥରେ ଏକଥରରେ ୫ ଜଣଙ୍କୁ ପ୍ରବେଶାନୁମତି ଦିଆଯିବ । ଶିଶୁ ମାନଙ୍କୁ ଟୀକାଦାତାଙ୍କ ବିନା ସ୍ପର୍ଶରେ ବୁନ୍ଦା ପ୍ରଦାନ କରାଯିବ । ଏଥିପାଇଁ ଅଭିଭାବକମାନେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବୁନ୍ଦାଦାନ କରାଯିବ ଏବଂ ଏଥିନିମନ୍ତେ ୨,୩୬,୦୯୫ ଡୋଜର ଆବଶ୍ୟକତା ରହିଛି । ଗତବର୍ଷ ପ୍ରାୟ ଏକ ଲକ୍ଷ ୫୭ ହଜାର ଶିଶୁଙ୍କୁ ବୁନ୍ଦା ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୮୪ ପ୍ରତିଶତ ଟିକାଦାନ କେନ୍ଦ୍ରରେ ବୁନ୍ଦା ଗ୍ରହଣ କରିଥିଲେ । ଚଳିତବର୍ଷ ବୁଥରେ ଅଧିକ ପ୍ରତିଶତ ପିଲାଙ୍କୁ ସାମିଲ କରାଯିବା ଲକ୍ଷ୍ୟ ରଖାଯାଇଛି । ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ରୋଟାରୀ ଓ ଲାୟନ୍ସ କ୍ଲବକୁ ମଧ୍ୟ ପୂର୍ବରୁ ସାମିଲ କରାଯାଇଛି । ବୁନ୍ଦା ପ୍ରଦାନ ନିମନ୍ତେ କିଛି ସମସ୍ୟା ଥିଲେ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଜଣାଇ ପାରିବେ । ଏହାର ନମ୍ବର ହେଲା ୦୬୭୫୨- ୨୨୨୧୨୪ ।

Comments (0)
Add Comment