ମହାମହିମ ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ

ପୁରୀ,୧୬/୨- ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ସମ୍ଭାବ୍ୟ ଦୁଇଦିନିଆ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆସନ୍ତା ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ପୁରୀଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଶରଧାବାଲି ଠାରେ ଶ୍ରୀ ଚୈତନ୍ୟ ଗୌଡୀୟ ମଠର ଏକ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟସୂଚୀ ରହିଥିବା ସୂଚନା ଦେଇଥିଲେ । ଏଥିନିମନ୍ତେ ଅଧିକାରୀ ମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି । ହେଲିପ୍ୟାଡ, ଶ୍ରୀମନ୍ଦିର, ରାଜଭବନ ଏବଂ ଶରଧାବାଲିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଓ ଯାଞ୍ଚ ନିରବଚ୍ଛିନ୍ନ ବିଦ୍ୟୁତସେବା, ଡାକ୍ତରୀଦଳ ଓ ଆମ୍ବୁଲାନ୍ସ ମୁତୟନ, ଆତିଥେୟତା ଆଦି ସଂପର୍କରେ ଆଲୋଚନା ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଭବନରେ ସମସ୍ତ ପ୍ରସ୍ତୁତି ଯୋରଦାର କରାଯାଇଛି । ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜ୍ୟୋତି ଶଙ୍କର ମହାପାତ୍ର, ରାଜ୍ୟପାଳଙ୍କ କମ୍ପଟ୍ରୋଲର ଗୌତମ ଚୌଧୁରୀ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗ ଅଧିକ୍ଷଣଯନ୍ତ୍ରୀ ଅଜିତ ମହାପାତ୍ର, ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ପ୍ରଶାନ୍ତ କୁମାର ଜେନା, ଗୋପିନାଥ ମିଶ୍ର, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ବିଶ୍ୱନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment