ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ପିପିଲି ବିଜେଡିର କାର୍ଯ୍ୟକାରିଣୀ ବୈଠକ

ପୁରୀ,୨୭/୧୧- ଆଗାମୀ ପଂଚାୟତ ନିର୍ବାଚନକୁ ନେଇ ପିପିଲି ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କିଭଳି ସଂଗଠନକୁ ଅଧିକ ମଜଭୁତ କରିହେବ , ଦଳରେ ଅନ୍ତକନ୍ଦଳକୁ ରୋକିହେବ ଓ ନିର୍ବାଚନରେ ଦଳ କିପରି ସଫଳତା ପାଇବ ସେ ନେଇ ଆଲୋଚନା ହୋଇଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହରଥୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀର ପିପିଲି ଏବଂ ଡେଲାଙ୍ଗ ବ୍ଲକର ସକ୍ରିୟ ବିଜେଡି କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ବିଜୁ ଜନତା ଦଳ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ପିପିଲି ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପିପିଲି ବ୍ଲକ ସଭାପତି ପ୍ରଫୁଲ୍ଲ ସ୍ୱାଇଁଙ୍କ ସମେତ ବହୁ ନେତା କର୍ମୀ ଏଥିରେ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟତଃ ଦୁଇଟି ବ୍ଲକ କମିଟିକୁ ପୁନର୍ଗଠନ କରି ଚୟନ ହୋଇଥିବା ନୂତନ କର୍ମକର୍ତ୍ତା ମାନଙ୍କ ନାମକୁ ଅନୁମୋଦନ ପାଇଁ ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନାଭିମୁଖୀ କାର୍ଯ୍ୟକ୍ରମ ଲୋକମାନଙ୍କ ପାଖରେ ପହଞ୍ଚାଇ ପଞ୍ଚାୟତ ନିର୍ବାଚନରେ ସଫଳତା ହାସଲ କରିବାପାଇଁ କର୍ମୀମାନଙ୍କୁ ସମସ୍ତ ମଂଚାସୀନ ଅତିଥିମାନେ ନିଜ ବକ୍ତବ୍ୟରେ ଉଦବୋଧନ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ କର୍ମକର୍ତ୍ତା ଏକ ହୋଇ ଲଢ଼ିବା ସହିତ ଦୁଇଟି ବ୍ଲକ ଓ ୬ଟି ଜିଲ୍ଲାପରିଷଦ ଜୋନ ଦଖଲ କରିବ ବୋଲି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରମୋଦ ସାମଲ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଲକ ସଭାପତି, ଅଧ୍ୟକ୍ଷ ଓ ପିପିଲି ବ୍ଲକ ଅଧ୍ୟକ୍ଷା ଉପସ୍ଥିତ ରହିଥିଲେ ।

Comments (0)
Add Comment