ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟାଙ୍କ ବିବାହ ଉତ୍ସବ

ପୁରୀ,୯/୨- ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ ଦେବୀଙ୍କ ଆଜି ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱରରେ ଏକ ତାରକା ହୋଟେଲ କୋଭିଡ କଟକଣାରେ ବହୁ ସୀମିତ ସଂଖ୍ୟକ ଅତିଥିଙ୍କୁ ନେଇ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ବର୍ଦ୍ଧମାନ ରାଜାଙ୍କ ନାତି ତଥା ରାଜକୁମାର ଆଦିତ୍ୟ କେହେରଙ୍କ ସହ ଗଜପତି ମହାରାଜଙ୍କ କନ୍ୟାଙ୍କ ବିବାହ ହେଉଥିବା ଜଣାପଡିଛି । ଏହି ଉପଲକ୍ଷେ ବ୍ୟାପକ ଆୟୋଜନ କରାଯାଇଛି । କୋଭିଡ୍‌ ପାଇଁ ସେତେ ଆଡମ୍ବର ସହକାରେ ବିବାହ କାର୍ଯ୍ୟ ଆୟୋଜନ କରାଯାଇନଥିଲେ ବି ଗଜପତି ମହାରାଜ ଝିଅ ଦେବେଶୀଙ୍କ ବିବାହ ଉପଲକ୍ଷେ ପୁରୀ ରାଜନଅର ଓ ଭୁବନେଶ୍ୱର ମେ’ ଫେୟାରଠାରେ ବିବାହ ଭୋଜି ଦେଉଛନ୍ତି । ଆଜି ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇ ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ଭୁବନେଶ୍ୱର ଓ ଅନ୍ୟ ସ୍ଥାନର ପରିଚିତଙ୍କ ପାଇଁ ଭୁବନେଶ୍ୱରସ୍ଥିତ ହୋଟେଲ ମେ’ ଫେୟାରରେ ଭୋଜିର ଆୟୋଜନ କରାଯାଇଛି ।

Comments (0)
Add Comment