ପୁରୀରୁ କୋଣାର୍କ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ଦାବି

ପୁରୀ,୧୯/୮- ପୁରୀରୁ କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ନିମନ୍ତେ ପୁରୀ ବିକାଶ ପରିଷଦ ଦାବି କରିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜି ସାକ୍ଷାତ କରି ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ସଂପର୍କରେ ପରିଷଦ କର୍ମକର୍ତ୍ତା ମାନେ ଆଜି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଏବଂ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ସ୍ୱତନ୍ତ୍ର ସର୍କିଟରେ ଆଲୋଚନା କରିଛନ୍ତି । ଦାବିପତ୍ରରେ କୁହାଯାଇଛି ଯେ ପୁରୀ ଏବଂ କୋଣାର୍କ ଭାରତବର୍ଷର ଦୁଇଟି ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର । ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସମେତ କୋଣାର୍କ ସୂର୍ଯ୍ୟମନ୍ଦିର ଦେଖିବାକୁ ଆସୁଛନ୍ତି । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପୁରୀ ନିକଟସ୍ଥ ସିପସରୁବାଲିରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପୁରୀ ଦେଶର ଆଧ୍ୟାତ୍ମିକ ରାଜଧାନୀ । ପୁରୀ କୋଣାର୍କ ମଧ୍ୟରେ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ପୁରୀ – କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିଥିଲେ । ପୂର୍ବତଟ ରେଳପଥ ପକ୍ଷରୁ ଏଥିପାଇଁ ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଏହି ଦୁଇଟି ପର୍ଯ୍ୟଟନ ସହର ମଧ୍ୟରେ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ଆବଶ୍ୟକ ରହିଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫୦ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ଏପ୍ରିଲ ୨୯ ତାରିଖରେ ନିଜଆଡୁ ପ୍ରସ୍ତାବ ଦେଇଥିଲେ । ପୁରୀରୁ କୋଣାର୍କ ମଧ୍ୟରେ ରେଳପଥ ନିର୍ମାଣ କରାଗଲେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏହି ପ୍ରକଳ୍ପ ଅତ୍ୟନ୍ତ ଉପଯୋଗୀ ଏବଂ ଲାଭଦାୟକ ହେବ । ତେଣୁ ପୁରୀରୁ କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ପ୍ରସ୍ତାବ ଯଥାଶୀଘ୍ର ଅନୁମୋଦନ କରାଯିବା ସହ ୨୫୦ କୋଟି ଟଙ୍କା ମଞ୍ଜୁର କରାଯିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି । ସ୍ଥାନୀୟ ଅଧିବାସୀଙ୍କ ସମେତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ଯାତାୟାତ ପାଇଁ ପୁରୀରୁ କୋଣାର୍କ ମଧ୍ୟରେ ରେଳଗାଡି ଚଳାଚଳ ଜରୁରୀ ଆବଶ୍ୟକ ରହିଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ପରିଷଦର ଏହି ଦାବି ସଂପର୍କରେ ସେ ନିଶ୍ଚୟ ବିଚାର କରିବେ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋଚନା ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପରିଷଦ ସମ୍ପାଦକ ଦିଲୀପ କୁମାର ଓଝା, ଉପ ସଭାପତି ସୁକାନ୍ତ ପଣ୍ଡା, ରାଧେଶ୍ୟାମ ରଥ, ସଂଗଠନ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ଏବଂ ପ୍ରାନ୍ତସିନି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment