ବାହୁଡା ଯାତ୍ରା ନେଇ ବଡ଼ଦାଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଏସ୍‌ପି

ପୁରୀ,୧୮/୭- ବାହୁଡା ଯାତ୍ରା ନେଇ ପୁରୀରେ ୧୪୪ ଧାରା ପ୍ରଶାସନ ପକ୍ଷରୁ ଜାରି ପରେ ବଡ଼ଦାଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଏସପି କେ ବିଶାଲ ସିଂ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବଡଦାଣ୍ଡରେ ବୁଲି ପୁରୀ ଏସପି କରିଛନ୍ତି ଅନୁଧ୍ୟାନ । ବାହୁଡା଼ରେ କିଭଳି ଆଇନ ଶୃଙ୍ଖଳା ଓ ଏସଓପି ଅନୁପାଳନ ହେବ ସେ ନେଇ ଏସପି ନିଜେ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ଥିବା ଲଜ, ହୋଟେଲ, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ସହ ଆଲୋଚନା କରିବା ସହ ଏସଓପି ଅନୁପାଳନ ନେଇ ତାଗିଦ କରିଛନ୍ତି । ଡ୍ରୋନ ମାଧ୍ୟମରେ ମଧ୍ୟ ନଜର ରଖାଯାଉଥିବା ପୁରୀ ପୋଲିସ ପକ୍ଷରୁ କୁହାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ତଥା ରଥଯାତ୍ରା ଦିନ ଏସଓପି ଉଲଂଘନ ହୋଇଥିବା ବେଳେ ବାହୁଡା଼ ଯାତ୍ରାରେ ଏହାକୁ ଏଡାଇବା ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ବଡଦାଣ୍ଡରେ ଥିବା ସମସ୍ତ ଘରୋଇ ଓ ବେସରକାରୀ ତଥା ଅନୁଷ୍ଠାନର କରାଯାଉଛି ସର୍ଭେ । ସୋମବାର ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ । ଏସଓପି ନିୟମକୁ କଡାକଡି ପାଳନ କରାଯିବା ସହ କେବଳ ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟକେହି ବଡଦାଣ୍ଡର ଘରେ ରହିବେ ନାହିଁ । ବଡଦାଣ୍ଡରେ କରାଯିବ ଭିଡିଓ ଗ୍ରାଫି । ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ତର୍ଜମା କରି ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

Comments (0)
Add Comment