ପଞ୍ଚାୟତ ନିର୍ବାଚନ ନିମନ୍ତେ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ

ପୁରୀ,୩/୨:- ପଞ୍ଚାୟତ ନିର୍ବାଚନ ନିମନ୍ତେ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ଅଧିକାରୀ ବିଡିଓ, ତହସିଲଦାର, ବ୍ଲକ ଶିକ୍ଷାଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଉକ୍ତ ବ୍ଲକସ୍ତରୀୟ ଅଧିକାରୀମାନେ ସଂପୃକ୍ତ ବ୍ଲକର ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିବେ । ଏହାପରେ ଆସନ୍ତା ୭,୮ ଓ ୯ ତାରିଖରେ ସଂପୃକ୍ତ ବ୍ଲକ ସ୍ତରରେ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ । ଜିଲ୍ଲାରେ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ଦାୟ୍ୱିତ୍ୱରେ ଅବହେଳା କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ବର୍ମା ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୬ ତାରିଖରେ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ମତଦାନ ହେବ । ଉକ୍ତ ନିର୍ବାଚନ ସହ ସଂପୃକ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଧିକାରୀ ଓ କର୍ମଚାରୀ ମାନଙ୍କୁ କରୋନା ବୁଷ୍ଟର ଡୋଜ ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । କୋଭିଡ ନିର୍ଦ୍ଦେଶନାମା ପାଳନ କରି ମତଦାନ ଅନୁଷ୍ଠିତ ହେବ । ଜିଲ୍ଲାରେ ୩୮୦୪ ଟି ମତଦାନ କେନ୍ଦ୍ର ରହିଛି । ଏଥିନିମନ୍ତେ ୬ ହଜାର ଅଧିକାରୀ ଓ କର୍ମଚାରୀ, ୨୬୪ ଜଣ ସେକ୍ଟର ଅଫିସର ନିୟୋଜିତ ରହିବେ । ଆଜିର ତାଲିମ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମିରେଖା ଦାସ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଚିନ୍ମୟ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment