ପୁରୀ,୨୨/୧୦- ପୁରୀ ଜିଲ୍ଲା ଅଙ୍ଗନୱାଡ଼ି ସୁପରଭାଇଜର ତଥା ପରିଦର୍ଶିକା ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ସରକାର ଠିକା କର୍ମଚାରୀଙ୍କୁ ନିୟମିତ କରିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରିବା ପରିପ୍ରେକ୍ଷୀରେ ପ୍ରତିବାଦ କରିଛି ପୁରୀ ଜିଲ୍ଲା ଅଙ୍ଗନୱାଡ଼ି ପରିଦର୍ଶିକା ସଙ୍ଘ । ସଂଘ ଅଭିଯୋଗ କରିଛି ଯେ ଗତ ୨୦୦୮ ମସିହାରେ ସରକାର ରାଜ୍ୟ ର ୫୫୭ ଜଣ ଗ୍ରାଜୁଏଟ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପ୍ରମୋସନ ଦେଇ ପରିଦର୍ଶିକା ଭାବେ ନିଯୁକ୍ତି ଦେଇଥିଲେ । ଯେଉଁ ଅଙ୍ଗନୱାଡ଼ି କର୍ମଚାରୀ ଗ୍ରାଜୁଏଟ ହୋଇଥିବେ ଓ ୫ ବର୍ଷ କାର୍ଯ୍ୟ କରିଥିବେ ସେମାନଙ୍କୁ ପ୍ରମୋସନ କରାଯାଇ ପରିଦର୍ଶିକା ଭାବେ ନିଯୁକ୍ତି କରିଥିଲେ । ସେହିପରି ଯେଉଁ ଅଙ୍ଗନୱାଡ଼ି କର୍ମଚାରୀ ମାଟ୍ରିକ ପାସ କରି ୧୦ ବର୍ଷ କାମ କରିଥିବେ ସେମାନେ ମଧ୍ୟ ପ୍ରମୋସନ ପାଇ ପରିଦର୍ଶିକା ଭାବେ ନିଯୁକ୍ତି ପାଇବେ । ହେଲେ ଦୁର୍ଭାଗ୍ୟର ବିଷୟ ମାଟ୍ରିକ ପାସ କରିଥିବା ପରିଦର୍ଶିକା ନିଯୁକ୍ତି ପାଇଥିବା ଅଙ୍ଗନୱାଡ଼ି କର୍ମଚାରୀମାନେ ସରକାରଙ୍କ ନିୟମିତ କର୍ମଚାରୀ ଭଳି ସୁବିଧା ସୁଯୋଗ ପାଉଥିବା ବେଳେ ଗ୍ରାଜୁଏଟ କରି ପରିଦର୍ଶିକା ନିଯୁକ୍ତି ପାଇ ଥିବା କର୍ମଚାରୀଙ୍କୁ କୌଣସି ସୁବିଧା ପ୍ରଦାନ କରାଯାଉନାହିଁ । ଏହି ପାତର ଅନ୍ତର ନୀତିକୁ ପୁରୀ ଜିଲ୍ଲା ଅଙ୍ଗନୱାଡ଼ି ପରିଦର୍ଶିକା ସଙ୍ଘ ବିରୋଧ କରିବା ସହ ସରକାର ଚାକିରୀରେ ନିୟମିତ କରିବାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଦାବି ପୂରଣ ନ କଲେ ଆଗାମୀ ଦିନରେ ସଙ୍ଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।