ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସଂପନ୍ନ

ପୁରୀ,୨୨/୭- ସୁରୁଖୁରୁରେ ଶେଷ ହୋଇଛି ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି । ଗତକାଲି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ନୀତି ଶେଷ ହେବାପରେ ଆଜି ଚଣ୍ଡୀଚାମୁଣ୍ଡାପାର୍ଶ୍ୱଦେବାଦେବୀ ମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯାଇଥିଲା । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ ।

ଶ୍ରୀପଞ୍ଚମୀ ଦିନଠାରୁ ତିନିରଥର ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ସହ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା । ତିନିରଥରେ ନିର୍ମାଣ ପରେ ସ୍ୱତନ୍ତ୍ର ଭାବେ ପାର୍ଶ୍ୱଦେବାଦେବୀ ମାନେ ବିଜେ କରି ନବଦିନ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥିଲେ । ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ ,ଚଣ୍ଡୀ,ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି । ତେବେ ସେମାନଙ୍କ ସନ୍ତୁଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ବଡଓଡିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା ,ଛାଚି , କ୍ଷୀର ,ସର,ଗୋଲମରିଚ ,କର୍ପୁର ,ଜାଇଫଳ,କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯାଏ । ତୁମ୍ଭକାର ଆକାରରେ ନିର୍ମିତ ମାଟିହାଣ୍ଡି ରେ ଏହି ଦୁର୍ଲଭ ପଣା ପ୍ରସ୍ତୁତ କରାଯାଏ । ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକ ମାନେ ପଣା ପାଇଁ ପାଣି ଯୋଗାଇଥାନ୍ତି । ପରେ ପତ୍ରିବଡୁ ,ସୁଆର ବଡ଼ୁ,ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ମାନେ ପଞ୍ଚ ଉପଚାରରେ ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିବା ପରେ ପାର୍ଶ ଦେବାଦେବୀ, ଚଣ୍ଡୀଚାମଣ୍ଡା, ଓ ଅଶରିରି ମାନେ ଏହି ପଣାକୁ ପାଇ ଆତ୍ମତୃପ୍ତି ଲାଭ କରିବେ । ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment