ପୁରୀ,୨୭/୭- ପୁରୀର ମଙ୍ଗଳାନଦୀ ମୁହାଣରେ ଅଭାବନୀୟ ଦୃଶ୍ୟ । ହଜାର ହଜାର ସଂଖ୍ୟାରେ ମାଛ ମରି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମଙ୍ଗଳା ନଦୀର ଜଳ ଅତ୍ୟଧିକ ପ୍ରଦ୍ୟୁଷିତ ହେବା ଫଳରେ ମାଛ ମଡକ ଦେଖିବାକୁ ମିଳିଛି । ପୁରୀ ସହରର ବର୍ଜ୍ୟ ଜଳ ସିଧାସଳଖ ମଙ୍ଗଳା ନଦୀରେ ମିଶୁଛି । ଯାହା ଫଳରେ ନଦୀ ଜଳ ବ୍ୟାପକ ମାତ୍ରାରେ ପ୍ରଦ୍ୟୁଷିତ ହୋଇଥିବା ଯୋଗୁଁ ଏହା ଏବେ ସ୍ଥାନୀୟ ବାସିନ୍ଦାଙ୍କ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । କେବଳ ସେତିକି ନୁହେଁ ଜଳ ପ୍ରଦ୍ୟୁଷିତ ହୋଇ ମାଛ ମରୁଥିବା ଯୋଗୁଁ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ମଧ୍ୟ ବିପନ୍ନ ହୋଇପଡିଛି । ଏହି ନଦୀରୁ ମତ୍ସ୍ୟଜୀବୀମାନେ ପ୍ରତିଦିନ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ମଙ୍ଗଳା ନଦୀର ଜଳ ଏତେ ମାତ୍ରାରେ ପ୍ରଦ୍ୟୁଷିତ ହୋଇସାରିଥିବା ବେଳେ ଏହି ଗୁରୁତର ସମସ୍ୟାର ସମାଧାନ ଦିଗରେ ସାମାନ୍ୟତମ ଉଦ୍ୟମ ଜିଲ୍ଲା ପ୍ରଶାସନ କରୁନଥିବା ଅଭିଯୋଗ ଉଠିଛି । ଏହି ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ଏନେଇ ମତ୍ସ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ । ସେହିପରି ମଙ୍ଗଳାନଦୀ ପ୍ରଦ୍ୟୁଷିତ ହୋଇ ସାରିଥିବାବେଳେ ଏହାକୁ କିଭଳି ରୋକାଯାଇପାରିବ ସେଦିଗରେ ମଧ୍ୟ ପୁରୀ ପୌରପାଳିକାର ଆଦୌ ଆନ୍ତରିକତା ନଥିବାଭଳି ମନେହେଉଛି ଯାହାର ପରିଣାମ ଏବେ ଦେଖିବାକୁ ମିଳିଛି । ମଙ୍ଗଳା ନଦୀର ଉଭୟ ପାର୍ଶ୍ୱରେ ମେଞ୍ଜିଆ, କଉ, ଖଇଙ୍ଗା ଭଳି ଅନେକ ପ୍ରଜାତିର ହଜାର ହଜାର ସଂଖ୍ୟାରେ ମାଛ ମରି ପଡିଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଯଥାଶୀଘ୍ର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।