ପୁରୀ,୧୦/୭- ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ ପବିତ୍ର ରଥଯାତ୍ରା ଉପଲକ୍ଷେ ୧ମିନିଟ ୩୫ ସେକେଣ୍ଡର ବାଲୁକା ଆନିମେସନ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଏହି ବାଲୁକା ଆନିମେସନରେ କରି କରାଉଥାଉ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁର ବାର୍ତ୍ତା ଦେଇଛନ୍ତି ମାନସ । ପ୍ରଭୁ ଜଗନ୍ନାଥଙ୍କ ଲୀଳାରେ କିପରି ରଥ ନିର୍ମାଣ ହେଉଛି କିପରି ପ୍ରଭୁ ଶ୍ରୀମନ୍ଦିରରୁ ସେବାୟତଙ୍କ ଦ୍ୱାରା ପହଣ୍ଡି ହୋଇ ବାହାରି ବଡଦାଣ୍ଡରେ ସାରା ସଂସାରକୁ ଦର୍ଶନ ଦେବା ପାଇଁ ଆସିଛନ୍ତି ଏବଂ ବିଶ୍ୱର ସମସ୍ତ ଦୁଃଖ ନିବାରଣ କରିବା ପାଇଁ ଆଗେଇ ଆସିଛନ୍ତି ବଡଦାଣ୍ଡକୁ ତାହା ଦର୍ଶାଯାଇଛି । ଏହାସହ ମହାପ୍ରଭୁ କିଭଳି ନିଜ ଚକାଆଖିରେ ସାରା ବିଶ୍ୱକୁ ଦେଖୁଛନ୍ତି ଏବଂ ବାହୁ ମେଲାଇ ସମସ୍ତଙ୍କୁ ରକ୍ଷା କରୁଛନ୍ତି ତାହା ଅତି ସୁନ୍ଦର ଭାବରେ ଏ ସ୍ୟାଣ୍ଡ ଆନିମେସନରେ ମାନସ ଦର୍ଶାଇଛନ୍ତି । ଏଥିରେ ମାନସ ସାହୁ ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି ଯେଉଁଥିରେ ମହାରଣା ମାନେ ରଥ ନିର୍ମାଣ କରୁଥିବାର ଦୃଶ୍ୟ, ରଥ ବଡଦାଣ୍ଡରେ ଗଡୁଥିବାର ଦୃଶ୍ୟ ଅତି ଚିତାକର୍ଷକ ହୋଇପାରିଛି । ଏହି ୧ମିନିଟ ୩୫ ସେକେଣ୍ଡର ଫିଲ୍ମଟିକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୨ ଦିନ ସମୟ ଲାଗିଥିଲା ।