ପୁରୀ : ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହୋଇଛି । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥିଲେ ମହାପ୍ରଭୁ । ମଧ୍ୟାହ୍ନ ଧୂପ ପରେ ବନଭୋଜି ବେଶ ସଜ ପାଇଁ ଶ୍ରୀମନ୍ଦିରରେ ବେଶରେ ବଡଠାକୁର ଶ୍ରୀବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଅଜ୍ଞାମାଳ ଲାଗି ହୋଇଥିଲା । ମଧ୍ୟାହ୍ନ ଧୂପ ଲାଗିବା ପରେ ବଡଠାକୁର ଏବଂ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳକୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା ।
ସଂଧ୍ୟା ସୁଦ୍ଧା ଏହି ଧୂପ ସରି ଦକ୍ଷିଣ ଘରେ ରାମ ଓ କୃଷ୍ଣଙ୍କୁ ଏହି ଦୁଇଟି ଆଜ୍ଞାମାଳ ଲାଗି କରାଯାଇଥିଲା । ରାମକୃଷ୍ଣ ଏହି ଆଜ୍ଞାମାଳ ପାଇବା ପରେ ବଟଦ୍ୱାର ପାଖରେ ଥିବା ପାଲଙ୍କିରେ ଅଧିଷ୍ଠିତ ହୋଇଥଥିଲେ । ପାଲଙ୍କି ବିଜେ ଠାକୁରଙ୍କୁ ବିମାନ ବଡୁ ସେବକମାନେ ଘଣ୍ଟଛତା, କାହାଳୀ ସହ ପଟୁଆରରେ ନେଇ ଶ୍ରୀମନ୍ଦିର ସିଂହଦ୍ୱାର ପାର୍ଶ୍ୱ ବଡଛତା ମଠ ସମ୍ମୁଖରେ ସଜା ଯାଇଥିବା କାଠ ସିଂହାସନରେ ବିଜେ କରାଇଥିଲେ । ଏହିଠାରେ ଶ୍ରୀଜୀଉଙ୍କ କୋଳିବିକା ନୀତିସମ୍ପନ୍ନ ହୋଇଥିଲା ।
କୋଳିବିକା ନୀତି ସରିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ବଣଭୋଜି ବେଶରେ ଭୂଷିତ କରିଥିଲେ । ଏହି ବେଶର ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ । ଶ୍ରୀବିଗ୍ରହଙ୍କୁ ସୋଲ, ବେତ, କନା, ଜରିରେ ନିର୍ମିତ ସ୍ୱର୍ଣ୍ଣ କିଆ ଶ୍ରୀମସ୍ତକ ଚୂଳରେ ଖୋସା ଯାଇଥାଏ । ଏହି ବେଶରେ ରତ୍ନସିଂହାସନ ଉପରେ ଦୁଇଟି ଲେଖାଏଁ ଗାଈ ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ରହିଥାନ୍ତି । ଏହି ବେଶ ପୁଷ୍ପାଳକ, ଭଣ୍ଡାର ମେକାପ ଓ ଖୁଣ୍ଟିଆ ଆଦି ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ ।
ବଡ ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀହସ୍ତର ଗୋଟିଏ ପାଖରେ ଚାରି ଫୁଟ ଲମ୍ବାର କନା ଓ ଜରିରେ ନିର୍ମିତ ଶିକା ତଳ ଭାଗରେ ଥିବା ରୂପା ପିଙ୍ଗଣରେ ‘ସର ଏବଂ ଅନ୍ୟ ହସ୍ତରେ ଏକ ବାଡ଼ି ଧରିଥାନ୍ତି । ଶ୍ରୀମନ୍ଦିର ମହାଭୋଇ ସେବକମାନେ ପରମ୍ପରା ମୁତାବକ ଏହି ସର ଯୋଗାଇଥାନ୍ତି । ବେଶରେ ଠାକୁରମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖୁଆପେଡାର ମାଳି ଧାରଣ କରିବା ଶ୍ରୀମନ୍ଦିରର ଏକ ନିଆରା ପରମ୍ପରା ରହିଛି । ପାଟ ଯୋଶୀ ମହାପାତ୍ର ଘରୁ ଏହି ଖୁଆ ପେଡା ଯୋଗାଇ ଦିଆଯାଇଥାଏ ।
ପୁରାଣ ଏବଂ ପରମ୍ପରା ମୁତାବକ ଶ୍ରୀକୃଷ୍ଣ ବଳରାମଙ୍କ ବାଲ୍ୟଲୀଳାରେ ଗାଈବାଛୁରୀ ନେଇ ବନଭୋଜିକୁ ଯିବା ଘଟଣା ଆଧାରରେ ଶ୍ରୀମନ୍ଦିରରେ ଏହି ବନଭୋଜି ବେଶ ପାଳନ ହେଉଥିବାର ଲୋକ ବିଶ୍ୱାସ ରହିଛି । ଏହି ବେଶରେ ବିଶେଷ କରି ଶ୍ରୀଜୀଉମାନେ ବଣଭୋଜି ଉଦ୍ଦେଶ୍ୟରେ ଗମନ କରୁଥିବାର ଦୃଶ୍ୟ ଏଥିରେ ପ୍ରକଟିତ ହୋଇଥାଏ । ଏହି ଦିନ ପୁରୀ ସାହି ପରମ୍ପରାରେ ମଧ୍ୟ ବାଲିସାହି ଯାଗା ଆଖଡାର ବକାସୁର ବାହାରି ନଗର ପରିକ୍ରମା କରି ଶ୍ରୀମନ୍ଦିରକୁ ପରିଦର୍ଶନ କରିବା ପରେ ସେଠାରେ ବକାସୁର ବଧ ଓ ଅର୍ଘାସୁର ବଧ ନୀତି ହେବାର ପରମ୍ପରା ମଧ୍ୟ ଆଜି ହୋଇଥାଏ ।