ବରିଷ୍ଠ ସିନେ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା । ଆଜି ନିଜ ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାର ସ୍ଥିତ ତାଙ୍କ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ । ତାଙ୍କ ବିୟୋଗ ଯୋଗୁଁ ଓଲିଉଡର ଅପରୂଣୀୟ କ୍ଷତି ହୋଇଛି । ସେ ଶତାଧିକ ଓଡିଆ ଫିଲ୍ମ୍‌ରେ ଅଭିନୟ କରିବା ସହ ଲୋକଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି ।

ଏଭଳି ଏକ ଖବର ଏବେ ସିନେମା ଓ ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି । ଜଣେ ଲୋକପ୍ରିୟ ଖଳନାୟକ ଭାବେ ସେ ଦର୍ଶକଙ୍କ ଭଲପାଇବା ସାଉଁଟି ପାରିଥିଲେ  । ସିନେମାରେ ଖଳନାୟକ ଭାବେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପରେ ଯାତ୍ରା ଦୁନିଆରେ ପ୍ରବେଶ କରିଥିଲେ  । ବହୁ ବଡ଼ ବଡ଼ ଯାତ୍ରା ପାର୍ଟିରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ  । 

୯୦ରୁ ଅଧିକ ଓଡ଼ିଆ ଓ ୧୫ରୁ ଅଧିକ ବଙ୍ଗଳା ସିନେମାରେ ସେ ଅଭିନୟ କରିଛନ୍ତି। ସିଂହ ବାହିନୀ, ସୁନା ଭାଉଜ ଓ ମେଣ୍ଟାଲ ଚଳଚ୍ଚିତ୍ର ତାଙ୍କ ଅଭିନୟ କ୍ୟାରିଅରର ମାଇଲ୍‌ ଖୁଣ୍ଟ ଥିଲା। ୧୯୯୧ ମସିହାରେ ବସ୍ତ୍ର ହରଣ, ୧୯୯୨ ନାଗ ପଞ୍ଚମୀ, ୧୯୯୫ ମସିହାରେ ରଣଭୂମି, ମଣି ନାଗେଶ୍ବରୀ, ୧୯୬୪ ମସିହାରେ ରଖିଲେ ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୯ ମସିହାରେ ସରପଞ୍ଚ ବାବୁ, ୨୦୦୪ ମସିହାରେ କଣ୍ଢେଇ ଆଖିରେ ଲୁହ, ୨୦୦୩ ରେ ଯେ ପାଞ୍ଚେ ପର ମନ୍ଦ, ୨୦୦୨ ରେ ସେହି ଝିଅଟିପୁଅ ମୋର ଜଗତ ଜିତା, ଚକା ଆଖିସବୁ ଦେଖୁଛି  ଆଦି ସିନେମାରେ ସେ ନିଜର ଅଭିନୟ  ଛାପ ଛାଡ଼ିଛନ୍ତି । 

ରାଇମୋହନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ। ସେ ଦୀର୍ଘ ବର୍ଷ ଧରି ଫିଲ୍ମ  ଜଗତ ସହ ଜଡ଼ିତ ଥିଲେ। କେତେବେଳେ ଖଳନାୟକ ରୋଲ୍‌ରେ ତାଙ୍କ ଡାଏଲଗ ଦର୍ଶକଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଉଥିବା ବେଳେ କେତେବେଳେ ଇମୋସନାଲ ରୋଲରେ ଆଖିରେ ଲୁହ ନେଇ ଆସୁଥିଲେ। ଫିଲ୍ମ ସହ ଯାତ୍ରାରେ ବି ଅଭିନୟ କରି ନିଜ ସ୍ୱତନ୍ତ୍ର ଛାପ ସେ ଛାଡ଼ି ଯାଇଛନ୍ତି।

Comments (0)
Add Comment