ଆରମ୍ଭ ହେଲା ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା

ଦଶପଲ୍ଲା :ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ, ମହାବୀରକ୍ଷେତ୍ର ଦଶପଲ୍ଲାର ପ୍ରଭୁ ଶ୍ରୀରଘୁନାଥଙ୍କ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲିଠାରୁ ଓଡ଼ିଶାର ସର୍ବପ୍ରାଚୀନ ମୁକ୍ତାକାଶ ରଂଗମଞ୍ଚ ଅଭିନୟ ତଥା କଳା- କାରିଗରୀ , ନୃତ୍ୟ ସଂଗୀତ ସମାହାରରେ ଏହି ଲଙ୍କାପୋଡ଼ି ଯାତ୍ରା ଆରମ୍ଭ ହୋଇଛି । ରୀତିନୀତି ଅନୁଯାୟୀ ପ୍ରଭୁଙ୍କର ଚଳନ୍ତି ବିଗ୍ରହ ଜନ୍ମ ମଣ୍ଡପକୁ ବିଜେ କରିବା ପରେ ଜନ୍ମବିଧି ହୋମଯଜ୍ଞ କରାଯାଏ । ଶ୍ରୀରାମ, ଲକ୍ଷ୍ମଣ , ଭରତ ଓ ଶତ୍ରୁଘ୍ନଙ୍କ ଜନ୍ମ ପରେ ନାଭି ଛେଦନ, ଦୁଗ୍ଧ ପାନ ଓ ନାମକରଣ ନୀତି ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ମନ୍ଦିର ସମ୍ମୁଖସ୍ଥ ମୁଖ୍ୟମଞ୍ଚରେ ବିକ୍ରମ ନରେନ୍ଦ୍ର ଭଣିତ ରାମଲୀଳା ପୋଥି ଅନୁଯାୟୀ ଲୀଳାଭିନୟ ଅନୁଷ୍ଠିତ ହୋଇଯାଇଛି । ମାଲ୍ୟବନ୍ତ , ମାଳି , ସୁମାଳି ଦୈତ୍ୟଙ୍କ ଯୁଦ୍ଧ ଅଭିଯାନରୁ ଏହି ଲୀଳା ଅଭିନୟ ଆରମ୍ଭ ହୋଇଥାଏ । ଗତ ୨ ବର୍ଷ ଧରି ମହାମାରୀ କରୋନା ପାଇଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବିରାଟ ପ୍ରତିବନ୍ଧକ ଦେଖାଦେଇଥିବା ବେଳେ ଆଜି ଶତାଧିକ ଶ୍ରଦ୍ଧାଳୁ ଉପବାସ ରହିବା ସହ ଘରେ ଘରେ ପୂଜା ଉପାସନା, ପୂର୍ଣ୍ଣକୁମ୍ଭ ଆଦି ସ୍ଥାପନ ପୂର୍ବକ ପୂଜାର୍ଚ୍ଚନା କରି ପ୍ରଭୁକୃପା ଲାଭ କରିଛନ୍ତି ।

Comments (0)
Add Comment