ପୁରୀ: ମହାପ୍ରଭୂ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ । ମହାପ୍ରଭୁଙ୍କ ରଥଯାତ୍ରାକୁ ସମଗ୍ର ବିଶ୍ୱ ଚାହିଁ ରହିଥାଏ । ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଠିକ୍ ସମୟରେ ନୀତି ସଂପାଦନ, ଭକ୍ତଙ୍କ ସୁରକ୍ଷା, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା । ଭକ୍ତ ଭଲ ମନୋଭାବ ନେଇ ଫେରିବେ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଆବଶ୍ୟକ । ଏଥିପାଇଁ ସମସ୍ତଙ୍କ ସମର୍ପଣ ମନୋଭାବ ରଥଯାତ୍ରାକୁ ସଫଳ କରିବ । ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହିଛି ।ରଥଯାତ୍ରା ଶେଷ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦେଇଛନ୍ତି ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ହୋଇଛି ।ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରତାପ ଜେନା , ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ , ମନ୍ତ୍ରୀ ଉଷା ଦେବୀ, ପ୍ରତାପ ଦେବ,ପ୍ରଫୁଲ୍ଲ ମଲ୍ଲିକ, ଅତନୁ ସବ୍ୟସାଚୀ, ଲାଲ ବିହାରୀ ହିମରିକା , ଟୁକୁନି ସାହୁ, ଅଶ୍ୱିନୀ ପାତ୍ର, ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ । ବୈଠକରେ ନୀତି ସମ୍ପାଦାନ, ସ୍ୱାସ୍ଥ୍ୟ, ପୌରପାଳିକା, ଆଇନ୍ ଶୃଙ୍ଖଳା, ରେଳବାଇ ନେଇ ଆଲୋଚନା ହୋଇଥିଲ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସରିଛି । ରଥ ନିର୍ମାଣ କାର୍ଯ୍ୟ ଅଗ୍ରଗତି କରିଛି । ରଥଯାତ୍ରା ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରଥଯାତ୍ରା ଓଡ଼ିଶା ପୋଲିସ ପାଇଁ ବଡ ଆହ୍ୱାନ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସଫଳତାର ସହ ରଥଯାତ୍ରା ଆୟୋଜିତ ହେଉଛି ।ସଫଳ ଆୟୋଜନ ପାଇଁ ୧୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
ମୁଖ୍ୟ ଶାସନ ସଚିବ କହିଥିଲେ ଏବର୍ଷ ରଥଯାତ୍ରା ପାଇଁ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ । ରେଳବାଇ ଓ ପରିବହନ ବିଭାଗ ସହ ସମନ୍ୱୟ ରଖାଯାଇଛି । ଖରାକୁ ଦୃଷ୍ଟିରେ ରଖି ଜଳସିଞ୍ଚନର ବ୍ୟବସ୍ଥା ହେବ । କୌଣସି ପ୍ରକାର ଅଘଟଣର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ନବଯୌବନ ଦର୍ଶନ ସୁଚାରୁ ରୂପେ କରିବାକୁ ସେ ସେବାୟତଙ୍କୁ ପରାମର୍ଶ ଦେଇଥିଲେ । ସେବାୟତ ଓ ପୁରୀ ବାସୀଙ୍କ ଅକୁଣ୍ଠ ସହଯୋଗ ରହିଛି । ସବୁ ବିଭାଗକୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ବିଭାଗ ନିଜ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଁଛନ୍ତି । ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ସମ୍ମିଳିତ ଉଦ୍ୟମରେ ଆମ ଗାରିମା ରକ୍ଷା କରିବାକୁ ଆଇନମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଏହି ଅବସରରେ ରଥଯାତ୍ରା ରୂପରେଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ।
ଚଳିତ ବର୍ଷ ବ୍ୟାପକ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଗଡିବ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ । ତେବେ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭକ୍ତ ଶ୍ରଦ୍ଧାଳୁ କିଭଳି ଅନନ୍ୟ ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ ସେନେଇ ରାଜ୍ୟସରକାରଙ୍କ ରହିଛି ସ୍ୱତନ୍ତ୍ର ଫୋକସ ।