ରାୟଗଡ,୨୭/୬- ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଧିନସ୍ଥ ଚାଂଚଡାଗୁଡା ଗ୍ରାମ ପଞ୍ଚାୟତସ୍ଥିତ କେରାଣ୍ଡିଗୁଡା ଗ୍ରାମଠାରେ ବଜ୍ରାଘାତ ଯୋଗୁଁ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ସହ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ଆଜି ଅପରାହ୍ନ ୩ଟା ସମୟରେ କେରାଣ୍ଡିଗୁଡା ଠାରେ କାଳିପୋଙ୍ଗା ଗ୍ରାମର ୬୬ବର୍ଷିୟ ବୁର୍ଷା ମିଣିଆକା ନିଜ ପତ୍ନୀ ରାମୀ ମିଣିଆକା, ପୁଅ କାସିରାମ ମିଣିଆକା ଏବଂ ବୋହୁ ମାଳା ମିଣିଆକାଙ୍କ ସହ ପୋଡୁଚାଷ କରିବା ଉଦ୍ଦେଶ୍ୟରେ କେରାଣ୍ଡିଗୁଡା ଠାରେ ଥିବା ଜଙ୍ଗଲର ଲଟା ସଫା କରିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଗ୍ରାମବାସୀମାନେ ଆମ୍ବୁଲାନ୍ସ ଯୋଗେ ଏହି ୪ଜଣଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ବୁର୍ଷା ଏବଂ ରାମୀକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ସଦସ୍ୟ କାସିରାମ ଏବଂ ମାଳାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ଅଧିକ ଚିକିତ୍ସା ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।