ରାୟଗଡ ଜିଲ୍ଳା ଅବକାରୀ ପୋଲିସକୁ ସଫଳତା: ୨୫୮ କେଜି ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ

ରାୟଗଡ,୨୨/୭: କୋରାପୁଟ ଜିଲ୍ଳାରୁ ଖୋର୍ଦ୍ଧା ଜିଲ୍ଳାକୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୧୩ ଲକ୍ଷ ଟଙ୍କାର ୨କ୍ୱିଂଟାଲ ୫୮ କେଜି ୪୫୦ଗ୍ରାମର ଗଂଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାୟଗଡ ଜିଲ୍ଳା ସଦର ଅବକାରୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ସୁରେଶ ସାହୁ ବୋଲି ଜଣାପଡିଛି । ଏ ନେଇ ରାୟଗଡ ଜିଲ୍ଳା ଅବକାରୀ ଅଧୀକ୍ଷକ ପ୍ରଶନ୍ନ କୁମାର ନାୟକଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ବିିଳମ୍ବିତ ରାତ୍ରରେ ରାୟଗଡ ସଦର ଅବକାରୀ ଥାନା ଓଆଇସି ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେ ରାୟଗଡ ସହରର ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମୁଖ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ଜିଲ୍ଳା ପୋଲିସ ନାକା ଚେକିଂ ପଂଏଟ ଠାରେ ଅବକାରୀ ଥାନା ଷ୍ଟାଫ୍‌ ଉପସ୍ଥିତ ରହି ଗାଡିଗୁଡିକୁ ଯାଂଚ କରିଥିଲେ । ଏହି ସମୟରେ ଏକ ବୋଲେରୋ ଗାଡି (ଓଡି୦୨-ଏଫ-୭୭୫୪)କୁ ସନ୍ଦେହ କରି ଅଟକାଇ ଯାଂଚ କରିବା ବେଳେ ଉକ୍ତ ଗାଡିରେ ଗଂଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଗାଡିର ଡ୍ରାଇଭର ସୁରେଶ ସାହୁକୁ ଅଧିକ ପଚାରାଉଚୁରା କରିବା ପରେ କୋରାପୁଟ ଜିଲ୍ଳା ନନ୍ଦପୁର ଅଂଚଳରୁ ଖୋର୍ଦ୍ଧା ସହରକୁ ଏହି ଗଂଜେଇ ସେ ବେଆଇନ ଭାବେ ବିକ୍ରି କରିବାକୁ ନେଉଥିବା ସ୍ୱୀକାର କରିଥିଲା । ପରେ ଗଂଜେଇ ଲୋଡ୍‌ ଥିବା ବୋଲେରୋ ଗାଡିକୁ ଅବକାରୀ ଥାନା ପରିସରରେ ଆଣି ରଖାଯାଇଥିବା ବେଳେ ଗାଡି ଭିତରେ ଥିବା ୯ଟି ବସ୍ତାକୁ ଓଜନ କରାଗଲା ପରେ ଏଥିରେ ୨୫୮କେଜି. ୪୫୦ ଗ୍ରାମର ଗଂଜେଇ ରହିଥିବା ଜଣାପଡିଥିଲା । ଯାହାର ବଜାରରେ ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ନାୟକ ସୂଚନା ପ୍ରଦାନ କରିଛନ୍ତି । ଏ ନେଇ ରାୟଗଡ ସଦର ଅବକାରୀ ଥାନାରେ କେସ ନମ୍ବର ୧୧୦/୨୧ରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଏହି ଗଂଜେଇ ଜବତ ବେଳେ ଏଏସଆଇ ନିମାଇଁ ଚରଣ ମିଶ୍ର,ଦୀନବନ୍ଧୁ ସିରା, କନେଷ୍ଟବଳ ସୁଶାନ୍ତ କୁମାର ମହାପାତ୍ର, କରୁଣାକର ପାତ୍ର, ଅମର କୁମାର ଦଳେଇ, ପି.ଆପାୟା, କମଳା କୁମାରୀ ମହାଙ୍କୁଡ, ସନ୍ଦୀପ ପାତ୍ର ଓ ଇଶ୍ୱର କାଡ୍ରକା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି, ବେଆଇନ୍‌ ଗଂଜେଇ ଚୋରା ଚାଲାଣକୁ ରୋକିବା ପାଇଁ ରାୟଗଡ ସଦର ଅବକାରୀ ଥାନା ଅଧିନସ୍ଥ ଅଂଚଳରେ ଥାନା ଷ୍ଟାଫ୍‌ ତରଫରୁ ପେଟ୍ରୋଲିଂ କରାଯାଇ ବିପୁଳ ପରିମାଣର ଗଂଜେଇକୁ ଜବତ କରାଯିବା ସହ ଅଭିଯୁକ୍ତମାନଙ୍କୁ ଧରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପରିଲିକ୍ଷିତ ହୋଇଛି । ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ପ୍ରଶନ୍ନ କୁମାର ନାଏକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଳା ଅବକାରୀ ପୋଲିସ ପକ୍ଷରୁ ପେଟ୍ର୍‌ରୋଲିଂ ସହ ଯାଚଂ କଡାକଡି କରାଯାଇ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଗଂଜେଇ ଏବଂ ବିକ୍ରି ହେଉଥିବା ରନ୍ଧା ଦେଶୀମଦ,ପୋଚ ଆଦିକୁ ଜବତ କରାଯାଇ ନଷ୍ଟ କରାଯାଉଛି ।

Comments (0)
Add Comment