ରାୟଗଡ ଜିଲ୍ଳା ଚନ୍ଦ୍ରପୁର ଥାନା ପୋଲିସକୁ ସଫଳତା, ୧କୋଟି ଟଙ୍କାର ଗଂଜେଇ ଜବତ୍‌ ସହ ୩ ଗିରଫ

ରାୟଗଡ/୧୦/୭/୨୧; ରାୟଗଡ ଜିଲ୍ଳା ଚନ୍ଦ୍ରପୁର ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା । ପାଖାପାଖି ୧କୋଟି ଟଙ୍କାର ଗଂଜେଇ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ ଜିଲ୍ଳା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ନୋଟରେ ଗତକାଲି ଜୁଲାଇ ୯ତାରିଖରେ ଏକ ବିଶେଷ ସୂତ୍ରରୁ ଖବର ପାଇ ବିଷମକଟକ ଉପଖଣ୍ଡ ଏସଡିପିଓଙ୍କ ନେତୃତ୍ୱରେ ଚନ୍ଦ୍ରପୁର ପୋଲିସ ଥାନା ଅଧିକାରୀଙ୍କ ସମେତ ଅନ୍ୟ ଷ୍ଟାଫ୍‌ ମିଶି ଚନ୍ଦ୍ରପୁର ଥାନା ଅଧିନସ୍ଥ ସ୍ଥାନୀୟ ରବିଗୁଡା ଛକ ଠାରେ ଯାଂଚ କରି ୫୯ ବସ୍ତାରେ ଥିବା ୧୧୫୮କେଜି ଗଂଜେଇକୁ ଜବତ କରିଥିବାବେଳେ ଘଟଣାସ୍ଥଳରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଜେରାବେଳେ ଏହି ଗଂଜେଇକୁ ମୁନିଗୁଡା ପଟକୁ ପରିବହନ କରିବା ନିମନ୍ତେ ଯୋଜନା ରହିଥିବା ଅଭିଯୁକ୍ତମାନେ ପ୍ରକାଶ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଜବତ ଗଂଜେଇର ଆନୁମାନିକ ବଜାର ଦର ପାଖାପାଖି ୧କୋଟି ଟଙ୍କାର ହେବ ବୋଲି ପୋଲିସ ଅନୁମାନ କରିଛି । ଏ ନେଇ ଚନ୍ଦ୍ରପୁର ଥାନା କେସ ନମ୍ବର ୨୫/୯/୭/୨୧ ୟୁ/ଏସ/ ୨୦ (ବି) (ଓଓ) (ସି) /୨୯ଏନଡିପିଏସ ଏକ୍ଟରେ ମାମଲା ପଞ୍ଜିକୃତ କରି ତଦନ୍ତ ଜାରି ରହିଥିବା ନେଇ ଜିଲ୍ଳା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍‌ ବିବୃତିରେ ଉଲ୍ଲେଖ ରହିଛି । ପ୍ରକାଶ ଥାଉକି, ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଜିଲ୍ଳାର ସମସ୍ତ ଥାନା ଅଂଚଳରେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ କାରବାରକୁ ରୋକିବାକୁ ଯାଞ୍ଚ କଡାକଡି କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଜିଲ୍ଳାର ଚନ୍ଦ୍ରପୁର, ଗୁଡାରୀ, ପଦ୍ମପୁର, ଗୁଣପୁର, ବିଷମକଟକ, ମୁନିଗୁଡା ଆଦି ଥାନା ଅଂଚଳରୁ ବିପୁଳ ପରିମାଣର ଗଞ୍ଜେଇ ସଂଗୃହିତ କରି ବେଆଇନ୍‌ ଭାବେ ମାଫିଆମାନେ ଅନ୍ୟ ରାଜ୍ୟକୁ ଚୋରାଚାଲାଣ କରିବା ପାଇଁ ଉଦ୍ୟମ କରୁଥିବାବେଳେ ରାୟଗଡ ଜିଲ୍ଳା ପୋଲିସର କଡାକଡି ଯାଞ୍ଚ ଓ ଗୁଇନ୍ଦା ସକ୍ରିୟତାରେ ସୂଚନା ପାଇବା ଯୋଗୁଁ ଗଞ୍ଜେଇ ମାଫିଆମାନଙ୍କ ସବୁ ଯୋଜନାକୁ ପଣ୍ଡ କରାଯାଇପାରୁଛି ।

Comments (0)
Add Comment