ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ ପାଠ୍ୟ ସହ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । ତ୍ରିଦିବସୀୟ ଶିବିରର ଉଦଘାଟନ ସମାରୋହରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ, ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଜିଲ୍ଲା ସଂଯୋଜକ ଡ଼. ବିଭୂତିଭୂଷଣ ଆଚାର୍ଯ୍ୟ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ରେଡକ୍ରସ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରାଯିବା ସହ ଟବାକୋ ଫ୍ରି କ୍ୟାମ୍ପସ୍ ଏଚ୍ଆଇଭି ଏଡ୍ସ ଫାୟାର ଫାଇଟିଙ୍ଗ୍ ଜଙ୍ଗଲ ସୁରକ୍ଷା ସ୍ୱେଚ୍ଛାସେବୀ ମନୋଭାବ ପୋଷଣ ନେତୃତ୍ୱବିକାଶ ପ୍ରାଥମିକ ସ୍ୱାସ୍ଥ୍ୟ ଉପଚାର ସଡ଼କ ସୁରକ୍ଷା ରକ୍ତଦାନ ଶିବିର ଆୟୋଜନ ଆଲୋଚନା ବିଷୟ ବିଶାରଦଙ୍କ ଦ୍ୱାରା କରାଯାଇଥିଲା । ତର୍କ ପ୍ରବନ୍ଧ ଚିତ୍ରକଳା କଣ୍ଠ ସଙ୍ଗୀତ ଗାନ ଏକକ ନୃତ୍ୟ ପରିବେଷଣ ଦଳଗତ ନୃତ୍ୟ ପରିବେଷଣ କ୍ୱିଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥିଲା । ଆଇନ ସଚେତନତା କର୍ମଶାଳାରେ ବିଚାରପତିମାନେ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି । ମୁଖ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ମଧୁସୂଦନ ମହାପାତ୍ର ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁରେଶ କୁମାର ଦାଶ ଜିଲ୍ଲା ସଂଯୋଜକ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି କାଉନସେଲର ଦଣ୍ଡପାଣି ଭୂୟାଁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ ସହ କୃତୀ ସ୍ୱେଚ୍ଛାସେବୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପକ୍ଷରୁ ସମସ୍ତ ଶିବିରାର୍ଥୀଙ୍କ ସକାଶେ ଟି ସାର୍ଟର ବ୍ୟବସ୍ଥା କରାଯାଇଥିଲା । ଶିବିରାର୍ଥୀମାନେ ସକାଳେ ବନବାସୀ ପଲ୍ଲୀରେ ଥିବା ବନବାସୀ ସେବା ସମିତିର ବିବିଧ କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ବିଦ୍ୟାଳୟ ଜରାନିବାସ ବୁଲି ଶ୍ରମଦାନ କରିଥିଲେ । ନେତାଜୀ ସୁଭାଷ ବୋଷଙ୍କ ଜୀବନାଦର୍ଶ ବର୍ଣ୍ଣନା ସହ ବିଭିନ୍ନ ମହାବିଦ୍ୟାଳୟର ଶ୍ରେଷ୍ଠ ଦଶ ଜଣ ସ୍ୱେଚ୍ଛାସେବୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେମାନେ ଆସନ୍ତା ରାଜ୍ୟ ଶିବିରରେ ଅଂଶଗ୍ରହଣ କରିବେ ।
ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡ଼ ରମେଶଚନ୍ଦ୍ର ବେହେରା ଦୁଇ ଦିନ ଧରି ସେବାମୂଳକ କାର୍ଯ୍ୟ କରିବାକୁ ଶିବିରାର୍ଥୀଙ୍କୁ ଅନୁରୋଧ କରିଥିଲେ ।