ଭୁବନେଶ୍ୱର : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆନୁଷ୍ଠାନିକ ଭାବେ ଯୁକ୍ତଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ କରିଛନ୍ତି । ସେହିପରି ଆସନ୍ତା ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି । ଆଜି ପ୍ରକାଶ ପାଇଥିବା ରେଜଲ୍ଟ ଅନୁଯାୟୀ ବିଜ୍ଞାନରେ ୯୪.୧୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବାଣିଜ୍ୟରେ ୮୯.୨୦ ପ୍ରତିଶତ ପିଲା ପାସ୍ କରିଛନ୍ତି ।
ଚଳିତବର୍ଷ ୮୭୭୭ ଜଣ ପିଲା ଫର୍ମପୂରଣ କରିଥିଲେ। ସେଥିରୁ ରେଗୁଲା ଥିଲେ ୭୪୫୧। ଏକ୍ସ ରେଗୁଲାର ଥିଲେ ୩୫୫୬ ଜଣ ଛାତ୍ରଛାତ୍ର। ତେବେ ରେଗୁଲାରରେ ୭୩୭୭୧ ଓ ଏକ୍ସ ରେଗୁଲାରରେ ୨୮୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମୋଟ୍ ୭୨୧୦୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବିଜ୍ଞାନରେ ୯୪.୧୨% ରେଜଲ୍ଟ ହୋଇଛି। ରେଗୁଲାରରେ ୭୦୯୧୮ ପାସ୍ କରିଥିବା ବେଳେ ଏକ୍ସ ରେଗୁଲାରରେ ୧୧୮୮ ଜଣ ପାସ୍ କରିଛନ୍ତି। ୫୦୧୫୭ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ 2nd କ୍ଲାସ୍ରେ ୧୪୧୯୨, 3rd କ୍ଲାସରେ ୬୯୧୦ ଜଣ ପାସ୍ କରିଛନ୍ତି। ୪୫, ୫୮୭ ବାଳକ ପାସ୍ କରିଥିବା ବେଳେ ୯୩.୮୦% ରହିଛି। ଠିକ୍ ସେହିପରି ୩୨, ୫୧୯ ବାଳିକା ପାସ୍ କରିଥିବା ବେଳେ ୯୪.୫୨% ରହିଛି। ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୧୨୪ ଛାତ୍ରଛାତ୍ରୀ। ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି। ନୟାଗଡ଼ରେ ସର୍ବାଧିକ ୯୯.୧୧%, କନ୍ଧମାଳରେ ସର୍ବନିମ୍ନ ୭୬.୮୧% ପିଲା ପାସ୍ କରିଛନ୍ତି।
ସେହିପରି ଚଳିତବର୍ଷ ବାଣିଜ୍ୟରେ ୨୩, ୭୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପାସ୍ କଲେ ୨୧, ୧୬୫ ଛାତ୍ରଛାତ୍ରୀ। ପାସ୍ହାର ୮୯.୨୦% ରହିଛି। ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ମୋଟ ୧୦, ୮୬୩ ପିଲା। ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବାଳକ ପାସ୍ ହାର- ୮୮.୩୨% ରହିଥିବା ବେଳେ ବାଳିକା ପାସ୍ ହାର ୯୦.୭୧% ରହିଛି। ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୨୭୩ ଛାତ୍ରଛାତ୍ରୀ। ୧୩୪ ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବୌଦ୍ଧ ସର୍ବାଧିକ ୧୦୦%, ଦେବଗଡ଼ ସର୍ବନିମ୍ନ ୬୧.୫୩% ପାସ୍ କରିଛନ୍ତି।
ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଥିବାବେଳେ ବିଜ୍ଞାନରେ ୭୮ ହଜାର ୭୩, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ଅଛନ୍ତି। ଚଳିତ ବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇ ପ୍ରକାର ପଦ୍ଧତି ଆପଣାଯାଇଥିଲା। ଯେଉଁଥିରେ ପିଲାମାନଙ୍କ ମାର୍କ ଅଧିକ ହେବ, ତାକୁ ସଂପୃକ୍ତ ବିଷୟର ଚୁଡାନ୍ତ ମାର୍କ ଭାବେ ବିଚାର କରାଯାଇଛି। ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ ପରୀକ୍ଷା ପରେ ଏଥର ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ରୀ।