ବିପଦ ସଙ୍କୁଳ ତାଲାକୋଟ ଅଙ୍ଗନୱାଡି କେନ୍ଦ୍ର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଘାଟମାଳ ଗ୍ରାମପଞ୍ଚାୟତର ତାଲାକୋଟ (କ) ଅଙ୍ଗନୱାଡି କେନ୍ଦ୍ର କୋଠା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାରୁ ଏହାର ମରାମତି କିମ୍ବା ନୂତନ କୋଠା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଘାଟମାଳ ଗ୍ରାମପଞ୍ଚାୟତ ସରପଞ୍ଚ ଟେକରାମ ମାଝି ସିନାପାଲି ବିଡ଼ିଓ ଅବିନାଶ ଲାକ୍ରାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସିନାପାଲି ବିଡ଼ିଓ ମଧ୍ୟ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସରପଞ୍ଚ ଶ୍ରୀ ମାଝି ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ ସଦର ମହକୁମା ଠାରୁ ଦୀର୍ଘ ୩୦ କିଲୋମିଟର ଦୂରରେ ଘାଟମାଳ ଗ୍ରାମ ପଞ୍ଚାୟତର ତାଲାକୋଟ ଗ୍ରାମ ଅବସ୍ଥିତ। ଏହି ଗ୍ରାମଟି ଛତିଶଗଡ଼ ସୀମାରେ ଅବସ୍ଥିତ ଥିବା ବେଳେ ବଣ ପାହାଡ ଘେରା ଅଞ୍ଚଳରେ ଅବସ୍ଥିତ। ଏହି ଗ୍ରାମଟି ଆଦିବାସି ଅଧ୍ୟୁଷିତ ହୋଇଥିବା ବେଳେ ୭ ଗୋଟି ପଡାକୁ ନେଇ ଗଠିତ। ଏହି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର (କ) ଅବ୍ୟବସ୍ଥାରେ ରହି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଯାହା ଫଳରେ ଗ୍ରାମର ଶିଶୁ ମାନେ ପ୍ରାକ୍ ଶିକ୍ଷା ଗ୍ରହଣରେ ବିଶେଷ ଅସୁବିଧା ହେଉଥିବା ଅଭିଯୋଗ ହେଉଛି। ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳର ଶିଶୁ ମାନଙ୍କ ପାଇଁ ପ୍ରାକ୍ ଶିକ୍ଷା ଗ୍ରହଣ କରିବା ପାଇଁ ଅଙ୍ଗନୱାଡି କେନ୍ଦ୍ର ହିଁ ମୁଖ୍ୟ। ଏହି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର ପଦକ୍ଷେପ ନେଇ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରିଛନ୍ତି। ହେଲେ ଏହି ଅଞ୍ଚଳରେ ଏହାର ସୁଫଳ ମିଲିପାରୁ ନାହିଁ। ଏହି ଅଞ୍ଚଳରେ ଅନେକ ପଡା ଗ୍ରାମ ରହିଛି। ହେଲେ ତାଲାକୋଟ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ରହିଛି। ଦୂରରେ ଥିବା ପଡାରୁ ମଧ୍ୟ ଶିଶୁ ମାନେ ଏହି କେନ୍ଦ୍ରରେ ପାଠ ପଢ଼ିଥାନ୍ତି। କିନ୍ତୁ ଏହି କୋଠାରୁ ପାଣି ଝରିବା ସହ ଭାଙ୍ଗିବା ଆରମ୍ଭ ହୋଇ ଏବେ ବିପଦ ସଙ୍କୁଳ ହେବାରୁ ଏଠାରେ ପାଠ୍ୟଦାନ ବନ୍ଦ କରିଦିଆ ଯାଇଛି। ଅନ୍ୟ ଏକ ମାଟି ଛପର ଘରେ ପାଠପଢା ଚାଳିଛି। ବର୍ତ୍ତମାନ ବର୍ଷାଋତୁ ସମୟ ହୋଇଥିବାରୁ ଆହୁରି ଅଧିକ ବିପଦ ଥିବାରୁ ଭଡା ଘରେ ପାଠ ପଢ଼ାଇବାକୁ କୁହା ଯାଇଥିବା ସିନାପାଲି ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଝରଣା ଶତପଥି ପ୍ରକାଶ କରିବା ସହ ସିନାପାଲି ବିଡ଼ିଓଙ୍କୁ ଅବଗତ କରାଯାଇଥିବା କହିଥିଲେ

Comments (0)
Add Comment