ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ,ଟାୟାର ଜାଳି ପଥର ପକାଇ ରାସ୍ତା ଅବରୋଧ

ନବରଙ୍ଗପୁର,(ହୀପ୍ର):ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ଏକ ସରକାରୀ ଉଚ୍ଚବିଦ୍ୟାଳୟ ନିକଟସ୍ଥ ଟାୱାର ପାଚେରି ପାର୍ଶ୍ୱରୁ ଏକ ୧୧ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ଘଟଣାକୁ ନେଇ ଗତକାଲି ରାତି ତମାମ ଓ ଆଜି ଦିନରେ ଉତ୍ତେଜନା ଲାଗି ରହିଛି । ପାରିପାର୍ଶ୍ୱିକ ସ୍ଥିତିରୁ ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଆଶଙ୍କା କରି ଗତକାଲି ରାତିରେ ଉତ୍ତ୍ୟକ୍ତ ଜନତା ଅଭିଯୁକ୍ତର ଗିରଫ ଦାବି କରି ଟାୟାର ଜାଳି , ପଥର ଗଦା କରି ଗାଁ ରାସ୍ତା ଅବରୋଧ କରିଥିଲେ । ଆଜି ଦିନ ପ୍ରାୟ ଗୋଟାଏ ବେଳେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ତେନ୍ତୁଳିଖୁଣ୍ଟି ଆଇଆଇସି ଗୋପାଳ କୃଷ୍ଣ ଆଗୁପାତ୍ର, ଏସଡିପିଓ କୃଷ୍ଣଚନ୍ଦ୍ର ଭତରା, ଅତିରିକ୍ତ ଏସ୍‌ପିି ବଟକୃଷ୍ଣ ମିଶ୍ର, ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ ବେହେରା ପହଞ୍ଚି ଗାଁ ଲୋକଙ୍କ ସହ ଆପୋଷ ଆଲୋଚନା କରିଥିଲେ । ୧୫ ଦିନ ମଧ୍ୟରେ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ରୁ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହା ଛଡ଼ା ଏହି ଗରିବ ପରିବାର ପାଇଁ ସରକାରୀ ନିୟମ ଅନୁସାରେ ସମସ୍ତ ସହାୟତା ଦିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ନାବାଳିକାର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ପରେ ପରିବାରସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ସେହି ଗାଁକୁ ଆସି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି ।
ବିରୋଧୀ ବିଜେଡି ଦଳର ଅନେକ ନେତା ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ଦାବି କରି ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ମଙ୍ଗଳବାର ଦିନ ପ୍ରାୟ ଗୋଟାଏ ବେଳେ ନାବାଳିକା ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ । କିନ୍ତୁ ସେ ଘରକୁ ନ ଫେରିବାରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ । ଏହା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ । ଝିଅର ସମସ୍ତ ସାଙ୍ଗସାଥି ଓ ପଡୋଶୀଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ରାତି ସମୟରେ ଗ୍ରାମର ବିଦ୍ୟାଳୟ ପଛ ପଟେ ଥିବା ଟାୱାର ପାଚେରି ପାର୍ଶ୍ୱରୁ ଝିଅର ମୃତ ଶରୀର ପଡିଥିବା ଦେଖିବାକୁ ମିଳିଥିଲା ।
ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା । ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା କହିଛନ୍ତି ଶବ ବ୍ୟବଚ୍ଛେଦ ପରେ ହିଁ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ । ଏହା ଏକ ଯୋଜନାବଦ୍ଧ ହତ୍ୟା ଓ ନାବାଳିକାର ମୁହଁରେ କ୍ଷତଚିହ୍ନ ଓ ରକ୍ତ ଲାଗିଥିବା ଦେଖିବାକୁ ମିଳିଛି । ଝିଅଟିର ହାତକୁ ପଛରୁ ବନ୍ଧା ହୋଇଥିବା ଅବସ୍ଥାରେ ପଡ଼ିଥିଲା । ତେଣୁ ଏହା ବଳାକ୍ରାର ନା ଘଟଣା ପଛରେ ଆଉ କିଛି ରହସ୍ୟ ଲୁଚିଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପରେ ସ୍ପଷ୍ଟ ହୋଇଯିବ । ତେବେ ଏହି ଘଟଣାକୁ ନେଇ ମାନବିକତା ଉପରେ ପ୍ରଶ୍ନ ଉଠିଛି । ମଣିଷ ପଣିଆ ଲଜ୍ଜାରେ ନତମସ୍ତକ ହୋଇଯାଇଛି ।

Comments (0)
Add Comment