ସମ୍ବଲପୁର : ଏହି ସମ୍ପୂର୍ଣ୍ଣ ପଶ୍ଚିମାଞ୍ଚଳର ମୁଖ୍ୟ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜିତ ମା ସମଲେଶ୍ୱରୀ (ସମଲେଇ)ଙ୍କ ପାଖରେ ନୂଆଖାଇର ପ୍ରଥମଭୋଗ ପାଇଁଁ ନୂଆଧାନ ପହଞ୍ଚିି ଯାଇଛି । ସ୍ଥାନୀୟ ବଲବସପୁରର ଚାଷୀ ସୁବାଷ ବେହେରା ଏହା ବଡରମା ଅଂଚଳରୁ ସଂଗ୍ରହକରି ସମଲେଇ ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାଜ ଓ ତାଙ୍କ ଧର୍ମପତ୍ନୀ ସୁରଭିଙ୍କ ହାତରେ ଅର୍ପଣ କରିଛନ୍ତି । ସେମାନେ ଏଥିରୁ ଚାଉଳ କାଢି କ୍ଷୀରି ତିଆରି କରି ଧାର୍ଯ୍ୟ ତିଥି ଓ ଲଗ୍ନ ଅନୁସାରେ ମାଆଙ୍କଠାରେ ଭୋଗ ଲଗାଇଲା ପରେ ହିଁ ଅନ୍ୟମାନେ ନିଜ ନିଜ ଘରେ କୁଳଦେବାଦେବୀ ସାମ୍ନାରେ ନୂଆ ଭୋଗ ଲଗାଇ ସପରିବାର ନୂଆ ଖାଇବାର ପରମ୍ପରା ରହିଛି । ଏହା ପୂର୍ବରୁ ଏଠାକାର ପଣ୍ଡିତ ମହାସଭାରେ ନୂଆଖାଇ ପାଇଁ ଆଗାମୀ ୨୩ ଅଗଷ୍ଟ ରବିବାର ଦିନ ପୂର୍ବାହ୍ନ ୯ଟା ୩୫ ରୁ ୫୦ମିନିଟ ମଧ୍ୟରେ ବିଶୁଦ୍ଧ ତୁଳା ଲଗ୍ନେ ମୀନ ନବାଂଶେ ଏଥିପାଇଁ ଶୁଭଲଗ୍ନ ସ୍ଥିର କରାଯାଇଛି । ପରମ୍ପରା ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପୀଠରେ ନୂଆଖାଇ ପାଇଁ ନୂଆଧାନ ପହଞ୍ଚିଲା ପରେ ଘରେ ଘରେ ଏହାର ସଂଗ୍ରହ ଆରମ୍ଭ ହୋଇ ଯାଇଛି । ଏବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବରେ ଆରମ୍ଭ ହେଲା, ଏଣୁ ବର୍ତ୍ତମାନ ନୂଆ ଧାନ ସହଜ ରେ ମିଳିପାରୁ ନାହିଁ, ତଥାପି ଏହାର ଚାହିଦା କୁ ଆଖି ଆଗରେ ରଖି ବଜାର ରେ ବିକ୍ରି ପାଇଁ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି ।