ସମ୍ବଲପୁର, ୧୧/୬- ସ୍ଥାନୀୟ କ୍ଷେତରାଜପୁର ଅନ୍ତର୍ଗତ ତାଲଭଟାପଡା ଏକ ବିସ୍ତୀର୍ଣ୍ଣ ବସ୍ତି ଅଞ୍ଚଳ, ଯେଉଁ ଠାରେ ପ୍ରାୟ ୨୫୦ ପାଖାପାଖି ଗରିବ ପରିବାର ବସବାସ କରନ୍ତି । ଦୀପ ତଳ ଅନ୍ଧାର ପରି ସମ୍ବଲପୁର ନଗର ନିଗମ ଅଞ୍ଚଳରେ ଅବସ୍ଥିତ ଏହି ବସ୍ତିରେ ବର୍ଷ ତମାମ ଜଳ ସଙ୍କଟ ଲାଗି ରହିଛି । ଆଜି ସେଠାକାର ବସ୍ତି ବାସିନ୍ଦାମାନେ ଏବିଷୟରେ ଜିଲ୍ଲାପାଳଙ୍କୁ ଏକ ଆବେଦନ ଦେଇ ସେମାନଙ୍କ ସମସ୍ୟା ବାବଦରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ଏହାର ତ୍ୱରିତ ସମାଧାନ ପାଇଁ ଅନୁରୋଧ କରିଥିଲେ । ସେମାନଙ୍କ ଠାରୁ ପ୍ରାପ୍ତ ଅଭିଯୋଗ ଅନୁସାରେ ସେମାନେ ଏବିଷୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିବାପାଇଁ ଯାଇଥିଲେ, କିନ୍ତୁ ସେଠାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସେମାନଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ସେମାନଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ସେମାନେ ଉକ୍ତ ଆବେଦନ ପତ୍ରରେ ଏବିଷୟରେ ଅଭିଯୋଗ କରିବା ସହିତ ଉକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି ।