ଫୁଲବାଣୀ: ଦିନିକିଆ କନ୍ଧମାଳ ଗସ୍ତରେ ଆସିଥିଲେ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ କୁମାର ପଣ୍ଡା । ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ପଣ୍ଡା ହେଲିକେପ୍ଟର ଯୋଗେ ଆସି ଫୁଲବାଣୀ ରିଜର୍ଭ ପଡିଆରେ ପହଞ୍ଚିଥିଲେ । ପରେ ଏସପିଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାରେ ମାଓ ଗତିବିଧି ଓ ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । କନ୍ଧମାଳ ଜିଲ୍ଲା ଯେପରି ମାଓ ମୁକ୍ତ ଜିଲ୍ଲା ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ ଶ୍ରୀ ପଣ୍ଡା । ମାଓ କୁମ୍ବିଂ ସମୟରେ ସତର୍କତା ଅବଲମ୍ବନ କରିବା ସହ ଆତ୍ମ ସମର୍ପଣ କରିବାକୁ ଓ ସରକାରଙ୍କ ଯୋଜନାରେ ସାମିଲ ହେବାକୁ ବିଭିନ୍ନ ମାଧ୍ୟମରେ ସଚତେନତା କରିବାକୁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏଥି ସହିତ ପୋଲିସ ଇନଫର୍ମର କେହି ନାହାନ୍ତି ବୋଲି ମଧ୍ୟ କହିଥିଲେ । ଆମେ ହିଂସା ବର୍ବରତା କେବେବି ଚାହୁଁ ନାହୁଁ ବରଂ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସର୍ବଦା କହିଆସୁଛୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ପ୍ରକାଶ ଥାଉକି ଗତ କିଛିଦିନ ତଳେ ମାଓବାଦୀମାନେ ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଅଂଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିବା ସହ ରାସ୍ତା କାମ କରୁଥିବା ଠିକାଦାର କ୍ୟାମ୍ପରେ ଥିବା ଜେସିବି, ଟ୍ରାକ୍ଟରକୁ ପୋଡିଦେଇଥିଲେ । ସେହିପରି ପୋଷ୍ଟରରେ ପୋଲିସ ଇନଫର୍ମର ସାଜିଥିବା ଅନ୍ୟ କେତେକଙ୍କୁ ମଧ୍ୟ ହତ୍ୟା କରିବାଲାଗି ଧମକ ଦେଇଛନ୍ତି ମାଓବାଦୀ । ଆଜିର ସମ୍ମିଳନୀରେ ଗୁଇନ୍ଦା ନିର୍ଦ୍ଦେଶକ ପଣ୍ଡାଙ୍କ ସମେତ ଆଇଜି ଓ ପି ଏସ ଅମିତାଭ ଠାକୁର, ଡି ଆଇ ଜି ବି ଏସ ଏଫ ଧୀରେନ୍ଦ୍ର କୁମାର, ସି ଆର୍ ପି ଏଫ୍ କମାଣ୍ଡାଣ୍ଟ ଅନିରୁଦ୍ଧ ସିଂ, ଦକ୍ଷୀଣାଞ୍ଚଳ ସତ୍ୟବ୍ରତ ଭୋଇ, କମାଣ୍ଡାଣ୍ଟ ସି ଆର ପି ଏଫ୍ ଆନନ୍ଦ ଝା, ବି ଏସ ଏଫ ଆ ଜି ଡି କେ ଶର୍ମା, କନ୍ଧମାଳ ଏସପି ଭିନିତ ଅଗ୍ରୱାଲ ଏବଂ ବାଲିଗୁଡ଼ା ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ ।