ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହଠାରେ ଆଜି ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଅନ୍ତର୍ଗତ ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ଦିବସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ତ୍ରିପାଠୀଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳେଇ ଯୋଗଦେଇ ସଂସ୍କୃତ ଭାଷା ଏକ ଦେବଭାଷା ତଥା ଦେବତାମାନଙ୍କ ଭାଷା , ହେଲେ ଏହି ଭାଷା ବର୍ତ୍ତମାନ ଏକ ଅବହେଳିତ ମଧ୍ୟଦେଇ ଗତି କରୁଛି , ତେଣୁ ଏହି ଭାଷାର ସୁଦୁରପ୍ରସାରି ପାଇଁ ସମୀକ୍ଷା ଓ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଓଡିଶା ପକ୍ଷରୁ ରାଜ୍ୟସଂଘର ଉପସଭାପତି ପଣ୍ଡିତ ଲମ୍ବୋଦର ଶତପଥୀ ଓ ରାଜ୍ୟସଂଘର ଯୁଗ୍ମ ସମ୍ପାଦକ ପଣ୍ଡିତ ବିନାୟକ ତ୍ରିପାଠୀ , ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ ବିଘନେଶ୍ୱର ମିଶ୍ର ଏବଂ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ କୁମୁଦ ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ସଂସ୍କୃତ ଦିବସ ପାଳନର ତାତ୍ପର୍ଯ୍ୟ ଓ ସଂସ୍କୃତ ଭାଷାର ମହତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ମୁଖ୍ୟତଃ ସାମ୍ପ୍ରତିକ ସ୍ଥିତିରେ ସଂସ୍କୃତ ଭାଷାର ସୁରକ୍ଷା କରାଯିବା ସହ ଏହା ଧନ୍ଦାମୂଳକ ଓ ଆଇଟି: ଭାଷା ହୋଇ ନ ଥିଲେ ମଧ୍ୟ ତାକୁ ତୃତୀୟ ଭାଷା ସଂସ୍କୃତର ବିକଳ୍ପ ଭାଷା ଭାବେ ଅବସ୍ଥାପିତ କରାଯିବାର ଷଡଯନ୍ତ୍ରକୁ ସମ୍ପୂର୍ଣ୍ଣ ଭାବେ ଅସଫଳ କରିବା ଏବଂ ସଂସ୍କୃତ ଶିକ୍ଷକ ମାନଙ୍କୁ କ୍ୟାଡର ଅନ୍ତର୍ଭୁକ୍ତ ନ କରି ଅବହେଳିତ କରିବାର ପ୍ରଚେଷ୍ଠା ବିଷୟକୁ ମଞ୍ଚାସୀନ ଅତିଥିମାନେ ଘୋର ନିନ୍ଦା କରିଥିଲେ ।
କାର୍ଯ୍ୟକ୍ରମରେ ପଣ୍ଡିତ ଶୁଭାଶିଷ ପତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ଶୁକାନ୍ତ କୁମାର କର ସମସ୍ତ କାର୍ଯ୍ୟକ୍ରମରେ ସଞ୍ଚାଳନ କରିଥିଲେ । ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ , ଶ୍ରୀ ଗୌରୀ ଶଙ୍କର ମହାରଣା , ଶ୍ରୀ ସନ୍ତୋଷ କୁମାର ଶତପଥୀ , ଶ୍ରୀ ସଞ୍ଜୀବ କୁମାର ଦାସ , ଶ୍ରୀ ସିଏଚ ଭେଙ୍କଟେଶ୍ୱର ରାଓ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ସଂସ୍କୃତ ଶିକ୍ଷକମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଶେଷରେ ଏହି ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା:- ସଂସ୍କୃତ ଭାଷଣ , ପ୍ରବନ୍ଧ ଓ ଶ୍ଳୋକ ଆବୃତି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।

Comments (0)
Add Comment