ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଓ ନଗର ଉପକଣ୍ଠ ଅଞ୍ଚଳ ସ୍ଥିତ ଶଙ୍କର୍ମା ଗାଁରେ ପିଇବା ପାଣି ସମସ୍ୟାକୁ ନେଇ ଗୁହାରି କରିବା ପାଇଁ ସେଠାକାର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଜି ଆସିଥିଲେ । ଜିଲ୍ଲାପାଳ ସେତେବେଳେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିବାରୁ ସେମାନେ ବାଧ୍ୟ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ନଗର ନିଗମ ଅଞ୍ଚଳରେ ଥାଇ ସୁଦ୍ଧା ସେମାନଙ୍କୁ ପିଇବା ପାଣି ଟିକିଏ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ, ଏଣୁ ଅସ୍ଥାୟୀ ସୂତ୍ର ଅନୁସାରେ ସେମାନଙ୍କୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏଠାରେ ଚିନ୍ତାର ବିଷୟ ଏହା ଯେ ଯଦି ମହାନଗର ନିଗମ ଅଞ୍ଚଳରେ ପିଇବା ପାଣିର ଏଭଳି ଗୁରୁତର ସମସ୍ୟା ରହିଛି, ତା ହେଲେ ଜିଲ୍ଲାର ଦୂରଦୂରାନ୍ତ ଗାଁ ଗୁଡ଼ିକର ସ୍ଥିତି କେତେ ଦୟନୀୟ ହୋଇଥିବ ?