ବେଆଇନ ନିଶା କାରବାରର ପର୍ଦ୍ଦାଫାଶ ୨୩ଶହ ବୋତଲ କଫସିରପ ସହିତ ୩ଜଣ ଗିରଫ

ସମ୍ବଲପୁର, ୨୨/୭ -ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏକ ଅପହରଣ ମାମଲାର ତଦନ୍ତ ସମୟରେ ଏକ ବିଶାଳ ନିଶା କାରବାରର ପର୍ଦ୍ଦାଫାଶ କରିବାରେ ପୁଲିସ ସଫଳ ହୋଇଛି । ବାସ୍ତବରେ କରୋନା କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଇବାକୁ ପୁଲିସ ଏଠାରେ ଏତେ ବ୍ୟସ୍ତ ଯେ ଅପରାଧ ନିୟନ୍ତ୍ରଣ ପାଇଁ ସମୟ ମିଳୁନାହିଁ ଓ ଅପରାଧିକ ଗତିବିଧି ବହୁତ ବଢିଯାଇଛି । ଏବିଷୟରେ ପୁଲିସ ସୂତ୍ରରୁ ଜଣାପଡିଛି ଯେ ସଦର ଥାନା ପୁଲିସ ବିପୁଳ ପରିମାଣରେ ନିଷିଦ୍ଧ କଫସିରପ ଓ ନିଶା ବଟିକା ଜବତ କରିବା ସହିତ କେସ ନମ୍ବର ୧୭୪/୨୦ ଅନ୍ତର୍ଗତ ଏକ ମାମଲା ରୁଜୁ କରିଛି । ଅନ୍ୟପଟେ ଶାସନ ଥାନା ଅଞ୍ଚଳରେ ଜଣକୁ ଗିରଫ କରିବା ସହିତ ତାଠାରୁ ମଧ୍ୟ ବହୁ ପରିମାଣ ରେ ନିଶା ସାମଗ୍ରୀ ଜବତ କରାଯାଇଛି ।

ଏବାବଦରେ ଶାସନ ଥାନାରେ କେସ ନମ୍ବର ୧୨୯/୨୦ ଅନ୍ତର୍ଗତ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି । ଏହି ଦୁଇମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତଙ୍କ ଚିହ୍ନଟ ସୁବ୍ରତ ବଡେଇ (୨୪), ରୋଶନ ମିଶ୍ର (୨୯) ଓ ବଳରାମ ଦୀପ ରୂପେ କରାଯାଇଛି । ଏମାନଙ୍କ ଠାରୁ ପୁଲିସ କାଟୁନରେ ପ୍ୟାକଥିବା ୨୩୦୯ ବୋତଲ ନିଷିଦ୍ଧ କଫସିରପ ଓ ୫ଷ୍ଟିପ ନିଶା ବଟିକା ଜବତ କରିଛି । ଏହି ନିଶା ସାମ୍ରାଜ୍ୟର ଚେର ବହୁଦୂର ପର୍ଯ୍ୟନ୍ତ ଲମ୍ବିଛି ଓ ଏଥିରେ ଆହୁରି ବହୁଲୋକଙ୍କ ସଂପୃକ୍ତି ରହିଛି ବୋଲି ଏଠାରେ ଚର୍ଚ୍ଚା ହେଉଥିଲାବେଳେ କିଛି ଲୋକଙ୍କୁ ପୁଲିସ ଘଣ୍ଟ ଘୋଡାଉଛି ବୋଲି ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି ।

Comments (0)
Add Comment