ସମ୍ବଲପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଆଜି ସମ୍ବଲପୁରରେ ୩୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୪୪୭ରେ ପହଞ୍ଚି ଗଲାଣି, ଯାହାକି ସମଗ୍ର ଜିଲ୍ଲା ପାଇଁ ବିପଦର ସଙ୍କେତ । ପ୍ରାରମ୍ଭିକ ଦିନ ମାନଙ୍କରେ ସମ୍ବଲପୁର ଜିଲ୍ଲାର ସ୍ଥିତି ବେଶ ସୁଦୃଢ ରହିଥିଲା କିନ୍ତୁ ବିଗତ ପ୍ରାୟ ୧୦ଦିନ ହେଲା ଏହା ଧିରେ ଧିରେ ବିପଦ ଆଡ଼କୁ ଗତି କରୁଛି, ଯାହାକି ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ବୋଲି ଏଠାରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହା ସହିତ ଦଶଦିନ ଯାଏଁ ଚାଲିଥିବା ସଟଡାଉନର ଗତରାତିରୁ ଅବସାନ ଘଟିଛି ଓ ଆଜି ଠାରୁ ଦୋକାନ ବଜାର ସବୁ ଖୋଲିବା ପାଇଁ ପ୍ରଶାସନ ଅନୁମତି ଦେଇଛି, ଅବଶ୍ୟ ଏହି ରିହାତି ସମ୍ବଦ୍ଧ । ସକାଳ ୭ଟାରୁ ଦ୍ୱିପହର ଦୁଇଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ବ୍ୟବସାୟ ଖୋଲାଯାଇ ପାରିବ, କିନ୍ତୁ ଏହି ସମୟରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ କରିବାକୁ ପଡ଼ିବ ବୋଲି ତାଗିଦ୍ କରାଯାଇଛି । ପ୍ରାୟ ଅଧିକାଂଶ ଲୋକେ ଏସବୁ କଟକଣାକୁ କଡାକଡି ଭାବେ ପାଳନ କରୁଛନ୍ତି, କିନ୍ତୁ କିଛି ଅମାନିଆଙ୍କ ଯୋଗୁଁ ସ୍ଥିତି ବିଗୁଡିଛି । ଦୁଃଖର ସହିତ କହିବାକୁ ପଡୁଛି ଯେ ଏହି ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ପ୍ରଶାସନ ବିଫଳ ରହୁଛି । ଏକ ଅସ୍ପଷ୍ଟ ଖବର ଅନୁସାରେ ଏହି ଅମାନିଆଙ୍କ ଦେହରେ ହାତ ଲଗେଇବା ପାଇଁ ପୁଲିସ କର୍ମଚାରୀ କୁଣ୍ଠାବୋଧ କରୁଛନ୍ତି, କାରଣ ଏମାନଙ୍କ ମଧ୍ୟରୁ ଯଦି କେହି ଜଣେ ମଧ୍ୟ ପଜିଟିଭ ବାହାରି ପଡେ, ତାହେଲେ ସମସ୍ତ ପୁଲିସ କର୍ମଚାରୀ ମାନେ ବିପଦରେ ପଡ଼ିବାର ଆଶଙ୍କା ରହିଛି ।