ସମ୍ବଲପୁର,୨/୯- ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି । ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ସାମନାକୁ ଆସିବା ଓ ଏବିଷୟରେ ସ୍ଥାନୀୟ ବିଧାୟକ ଓ ଜନସାଧାରଣଙ୍କ ଅଭିଯୋଗ ସତ୍ତ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଉନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଆଜିପର୍ଯ୍ୟନ୍ତ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୪ ରହିଛି, ଯଦିଓ ଲୋକଙ୍କ ମତାନୁସାରେ ଏହା ୫୦ ଉପରକୁ ଗଲାଣି । ଏପର୍ଯ୍ୟନ୍ତ ଦିନକରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୩ ରହିଥିଲା କିନ୍ତୁ ଗତକାଲି ଏହା ୬ ରେ ଯାଇ ପହଞ୍ଚିଛି, କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ପ୍ରଶାସନ ଏହି ବିଷୟରେ କିଛି ସ୍ପଷ୍ଟିକରଣ ଦେଉନାହିଁ । ଏପରିକି କିଛି ସ୍ଥାନୀୟ ଜଣାଶୁଣା ବ୍ୟକ୍ତିବିଶେଷଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦରେ ରହିଛନ୍ତି ଜନସାଧାରଣ । ଏପର୍ଯ୍ୟନ୍ତ ଜିଲ୍ଲାରେ ତାଜା ସ୍ଥିତି ଅନୁସାରେ ମୋଟ ଆକ୍ରାନ୍ତ ୨୯୮୪ ଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ଓ ୧୮୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୦୮୪ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି ।