ଦୁଇକୋଟି ଟଙ୍କା ପାଇଁ ଅପହରଣ ମାମଲାରେ ୪ ଗିରଫ ମୁଖ୍ୟ ଅଭିଯୁକ୍ତକୁ ଦେହେରାଦୁନରୁ ରିମାଣ୍ଡରେ ଅଣାଯାଉଛି

ସମ୍ବଲପୁର,୨୭/୭- ଗତ ୧୦ତାରିଖ ଦିନ ଦ୍ୱିପହରରେ ଶାସନ ପାଖ ମୁଖ୍ୟ ରାସ୍ତାରୁ ଏଠାକାର ଜଣାଶୁଣା ଷ୍ଟିଲ ବ୍ୟବସାୟୀ ନରେଶ ଅଗ୍ରୱାଲ (୬୩)ଙ୍କୁ ଅପହରଣ କରାଯାଇଥିଲା ଓ ମଧ୍ୟ ରାତିରେ ତାଙ୍କୁ ପୁଲିସ ଉଦ୍ଧାର କରିଥିଲା । ଏହାର ଦୀର୍ଘ ୧୬ଦିନ ପରେ ଗତକାଲି ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୀବ ଦୁଆ ମୂଳତଃ ଉତ୍ତରାଖଣ୍ଡ ନିବାସୀ ଏଠାକୁ ଆସି ସେ କପଡା ବ୍ୟବସାୟ କରୁଥିଲା ଓ ବେପାରରେ ବିଫଳ ହୋଇ ସେ ଅନେକ ଗୁଡ଼ିଏ ଟଙ୍କା ଋଣ ନେଇ ପରିଶୋଧ କରିପାରୁନଥିଲା । ଏହି ଋଣ ଭାରରୁ ମୁକୁଳିବାକୁ ଆବଶ୍ୟକ ଟଙ୍କା ଯୋଗାଡ କରିବାପାଇଁ ବିଶିଷ୍ଟ ଷ୍ଟିଲ ବ୍ୟବସାୟୀ ନରେଶର ଅପହରଣ ପାଇଁ ସେ ଯୋଜନା କଲା । ଏଥିପାଇଁ ସେ ଅପରାଧ ଜଗତରେ ଜଣାଶୁଣା ଅନ୍ୟ ତିନି ଜଣଙ୍କୁ ନେଇ ଦଳ ଗଠନ କଲା । ପୁଲିସ ସେ ତିନି ଜଣଙ୍କୁ ମଧ୍ୟ ଗିରଫ କରିଛି ଓ ସେମାନେ ଧନକଉଡ଼ାର ମହମ୍ମଦ ସୈଫୁଲ୍ଲା (୨୪), ମାୟାବଗିଚାର ମହମ୍ମଦ ଅଲୀ (୨୫) ଓ ମୋତି ଝରନର ମହମ୍ମଦ ଆସିବ ରୂପେ ଚିହ୍ନଟ ହୋଇଛନ୍ତି । ସେଦିନ ଅପହରଣ ପରେ ସେମାନେ ନରେଶ କୁ ନେଇ ଜମାଦାରପାଲି ଠାରେ ଏକ ଭଡାଘରେ ଗୋଡହାତ ବାନ୍ଧି ଲୁଚାଇ ରଖିଥିଲେ ଓ ନରେଶକୁ ଛାଡ଼ିବା ପାଇଁ ଦୁଇ କୋଟି ଟଙ୍କା ଦାବି କରିଥିଲେ । ଇତିମଧ୍ୟରେ ଖବର ପାଇ ପୁଲିସ ଚାରିଆଡେ ନାକାବନ୍ଦି ସହିତ ଅପହୃତ ନରେଶକୁ ସନ୍ଧାନ କରିବା ପାଇଁ ସକ୍ରିୟ ହୋଇଥିବାରୁ ସେମାନେ ଧରାପଡ଼ିବା ଭୟରେ ତାକୁ ହୀରାକୁଦ ଏଫସିଆଇ ଗୋଦାମ ପାଖରେ ଛାଡିଦେଲେ ଓ ଏବିଷୟରେ ନରେଶ ଘରକୁ ଜଣେଇ ଦେଇଥିଲେ । ପରେ ସେଠାରୁ ନରେଶକୁ ପୁଲିସ ଉଦ୍ଧାର କରିଥିଲା । ଏହି ମାମଲାକୁ ଗମ୍ଭୀରତା ସହିତ ନେଇ ସମ୍ବଲପୁର ପୁଲିସ ଅଧିକ୍ଷକ ଡ଼ା କେ ବି ସିଂହ ଏହାର ତଦନ୍ତ ପାଇଁ ଏଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ସେମାନଙ୍କୁ ଏଥିପାଇଁ ନ୍ୟସ୍ତ କରିଥିଲେ । ସେମାନେ ତଦନ୍ତକରି ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ସମାସିଙ୍ଘାରୁ ହିମାଂଶୁ ବନଛୋରକୁ ପ୍ରଥମେ ଗିରଫ କଲେ ଓ ତାଠାରୁ ତଥ୍ୟ ପାଇ ଅନ୍ୟମାନଙ୍କୁ ଗିରଫ କଲେ । ଶ୍ରୀ ସିଂହ ଇତିମଧ୍ୟରେ ଖବର ପାଇଥିଲେ ଯେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୀବ ଦୁଆ ଦେହେରାଦୁନ ଠାରେ ଲୁଚିରହିଛି, ସେଠାକାର ପୁଲିସ ମୁଖ୍ୟଙ୍କ ସହିତ ସମ୍ପର୍କ କରି ସେଠାରେ ତାକୁ ଗିରଫ କରାଇଥିଲେ । ବର୍ତ୍ତର୍ମାନ ତାକୁ ରିମାଣ୍ଡରେ ଏଠାକୁ ଅଣାଯାଉଛି ।

Comments (0)
Add Comment