ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଲେ ସ୍ୱେଚ୍ଛାସେବୀ

ସମ୍ବଲପୁର : ବିଗତ ଦିନରେ ହୀରାକୁଦବନ୍ଧରୁ ବନ୍ୟାଜଳ ନିଷ୍କାସନ ଫଳରେ ଏଠାକାର ବିଭିନ୍ନ ତଳି ଅଂଚଳରେ ଉପୁଜିଛି ବନ୍ୟା ପରିସ୍ଥିତି । ମହାନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ସହରର ସମସ୍ତ ତଳି ଅଂଚଳରେ ପଛୁଆ ପାଣି ପ୍ରବେଶ କରି ଅଂଚଳ ଜଳମଗ୍ନ ହୋଇଛି । ଲୋକଙ୍କ ଘରେ ପାଣି ପଶିବା ଫଳରେ ଲୋକେ ବିଭିନ୍ନ ଅସ୍ଥାୟୀ ଆଶ୍ରୟସ୍ଥଳୀ ରେ ରହୁଛନ୍ତି । ସହରର ବିଭିନ୍ନ ଆଶ୍ରୟସ୍ଥଳୀରେ ରହୁଥିବା ବନ୍ୟା ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢାଇଛନ୍ତି ସହରର ଅନେକ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିବିଶେଷ । ସମ୍ବଲପୁର ମହାନଗର ଅଂଚଳରେ ବଡବଜାର ଓ ଆଖପାଖ ବିଭିନ୍ନ ଅଂଚଳରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ସ୍ଥାନୀୟ ରାମାୟଣ ଗଳିର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ପରିବାର ବନ୍ୟାଦାଉରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଛନ୍ତି ରାମାୟଣ ମନ୍ଦିରରେ । ଜିଲ୍ଲା ପ୍ରଶାସନ ସହିତ ସେମାନଙ୍କୁ ସାହାଯ୍ୟର ହାତ ବଢାଇଛି ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଆୱାର ହେଲପିଙ୍ଗ ହେଣ୍ଡ\’ । ଅନୁଷ୍ଠାନର ସଂଯୋଜିକା ଅନିତା ବାଗଙ୍କ ନେତୃତ୍ୱରେ ଆଜି ଅନୁଷ୍ଠାନର ସ୍ୱେଚ୍ଛାସେବୀଗଣ ପହଞ୍ଚିଥିଲେ ଆଶ୍ରୟସ୍ଥଳୀରେ । ସେଠାରେ ଦୁସ୍ତାବସ୍ଥାରେ ଥିବା ଅନ୍ତବାସୀମାନଙ୍କୁ ଆଜି ଚୁଡା, ଗୁଡ଼, ବିସ୍କୁଟ, ମହମବତୀ, ମଶାଧୂପ ଓ ସମ୍ବଲପୁରି ମାସ୍କ ଇତ୍ୟାଦି ଦିଆଯାଇଛି । ଆଜିର ସେବାକାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ କବିତା ବାଗ, ଆଶିଷ ନାଏକ, କ୍ରିଷ୍ଣା ବାଗ, ସନ୍ତୋଷ ବିଭାର, ଏମ. ଜୟଶ୍ରୀ ଓ ବଂଶୀକା ସୁନା ପ୍ରମୁଖ ସାମିଲ ଥିଲେ ।

Comments (0)
Add Comment