ସମ୍ବଲପୁର :କରୋନା ନିୟନ୍ତ୍ରଣ ପାଇଁ ସମସ୍ତ ଚେଷ୍ଟା ଅବ୍ୟାହତ ସତ୍ତ୍ୱେ ଆଜି ଲଗାୟତ ୫ ଦିନ ହେଲା ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଯାହାକି ଜିଲ୍ଲା ପ୍ରଶାସନ ସହିତ ଜନସାଧାରଣଙ୍କୁ ଚିନ୍ତିତ କରୁଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୧୪ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୪୩୫୮ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୨୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୭ ଜଣ ମୃତ୍ୟୁବରଣ କଲା ପରେ ବାକି ୧୦୯୧ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଅନେକ ଜଣାଶୁଣା ବ୍ୟକ୍ତିଙ୍କ ସହିତ ପ୍ରତିଦିନ ହାରାହାରି ୩ ରୁ ୫ ଜଣ କରୋନା ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି କିନ୍ତୁ କାହିଁକି କେଜାଣି ଜିଲ୍ଲା ପ୍ରଶାସନ ସେମାନଙ୍କ ନା ମୃତକଙ୍କ ସୂଚୀରେ ସାମିଲ କରୁନାହାନ୍ତି । ଦୀର୍ଘ ଦଶଦିନ ପର୍ଯ୍ୟନ୍ତ କରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ୧୫/୧୬ ରେ ସୀମିତ ରଖା ଯାଇଥିଲା, ଯାହାକି ଆଜି ଗୋଟିଏ ବୃଦ୍ଧି ସହିତ ୧୭ ଘୋଷଣା କରାଯାଇଛି, ଯଦିଓ ଜନସାଧାରଣଙ୍କ ମତାନୁସାରେ ଏହା ବର୍ତ୍ତମାନ ୧୦୦ ପାଖାପାଖି ଗଲାଣି । ଜନସାଧାରଣ ପକ୍ଷରୁ ବ୍ୟାପକ ଜନରବ ସତ୍ତ୍ୱେ ଏଠାରେ ସ୍ଥାପିତ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସା ସେବା ସୁଧୁରି ପାରୁନାହିଁ ଓ ଅବ୍ୟବସ୍ଥା ଜାରି ରହିଛି । ଜିଲ୍ଲା ର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ରେ କରୋନା ପ୍ରକୋପ ଅଧିକ ଦେଖିବାକୁ ମିଳୁଛି ଓ ଏହାର ଏକମାତ୍ର କାରଣ ହେଲା ଗାଁ ଲୋକେ କିଛି ପରିମାଣରେ କରୋନା କଟକଣାକୁ ମାନୁଛନ୍ତି ତଥା ସହରାଞ୍ଚଳରେ ଏଥିପ୍ରତି କାହାରି ଭୃକ୍ଷେପ ନାହିଁ ।
ନିରନ୍ତର ବର୍ଦ୍ଧିତ କରୋନା ସଂକ୍ରମଣ କୁ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ତାଙ୍କର ଚେଷ୍ଟା ଅବ୍ୟାହତ ରଖିଛନ୍ତି । ଏହିକ୍ରମରେ ଏପର୍ଯ୍ୟନ୍ତ ୩୯ ଟି ଅଂଚଳକୁ ଅବରୁଦ୍ଧ ଘୋଷଣା ସହିତ ୩୬ ଟି ଜାଗାରେ ନିଷେଧାଦେଶ ଧାରା ୧୪୪ ବଳବତ୍ତର ରହିଛି ।