ସମ୍ବଲପୁର ଜିଲ୍ଲାରେ ୭୩ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ୭୩ଜଣ ନୂଆ ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ପାରହୋଇ ୬୦୫୫ରେ ପହଞ୍ଚିଛି । ଏ ବିଷୟରେ ଏକମାତ୍ର ଉଲ୍ଲେଖନୀୟ ପକ୍ଷ ଏହାଯେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୧୦ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ଏହା ଫଳରେ ଏତିକି କୁହାଯାଇପାରିବ ଯେ ବିଗତ ୨୪ଘଣ୍ଟା ମଧ୍ୟରେ ସ୍ଥିତିରେ ଯଚକିଞ୍ଚିତ ଉନ୍ନତି ଆସିଛି । ଅପରପକ୍ଷରେ ମୃତକଙ୍କ ସଂଖ୍ୟା ଘୋଷଣାକୁ ନେଇ ପ୍ରଶାସନର ଆମୁଖ ଯଥାସ୍ଥିତି ରେ ରହି ଆସିଛି । ସ୍ଥାନୀୟ ମୁଖ୍ୟ ଶ୍ମଶାନସ୍ଥାନ ରାଜଘାଟରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ବୁଧବାର ଦିନ ସେଠାରେ ତିନୋଟି କରୋନା ପୀଡିତ ଙ୍କ ଶବସତ୍କାର ହୋଇଛି, ଯାହାକି ପ୍ରଶାସନ ଆଦୌ ମାନୁନାହିଁ । ଜିଲ୍ଲା ପ୍ରଶାସନ ଅନୁସାରେ ବିଗତ ଚାରି ଦିନହେଲା ଏଠାରେ କରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ୨୨ରେ ଅପରିବର୍ତ୍ତିତ ରହିଆସିଛି, ଯଦିଓ ସମ୍ବଲପୁର ନଗରାଞ୍ଚଳରେ ଏହା ଶତାଧିକ ଓ ସମଗ୍ର ଜିଲ୍ଲା ରେ ଦୁଇ ଶହରୁ ଊର୍ଦ୍ଧ୍ୱ ବୋଲି ଜନସାଧାରଣ କହୁଛନ୍ତି । ଏପର୍ଯ୍ୟନ୍ତ ତାଜା ସ୍ଥିତି ଅନୁସାରେ ଜିଲ୍ଲା ରେ ଆଜିକାର ପରିସଂଖ୍ୟାନକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୫୫ ହୋଇଛି । ଏମାନଙ୍କ ମଧ୍ୟରୁ ୪୮୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ଓ ୨୨ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୨୧୧ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

Comments (0)
Add Comment