ସମ୍ବଲପୁର,୪/୧୧- ସମ୍ବଲପୁର ଜିଲ୍ଲା କୋଭିଡ ହସ୍ପିଟାଲରେ ତିନିମାସରୁ ଉର୍ଦ୍ଧ୍ୱକାଳ ନିଜ ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ ରୋଗୀଙ୍କ ସେବାକଲା ପରେ ଗତ ୩୦ଅକ୍ଟୋବର ଅଧରାତିରେ ସେମାନଙ୍କୁ ହଠାତ କାର୍ଯ୍ୟରୁ ବାହାର କରିଦିଆଯାଇଛି । ଏହିପରି ଅବିଚାରର ବିରୋଧ କରି ବର୍ତ୍ତମାନ ସେମାନେ ଉକ୍ତ ହସ୍ପିଟାଲ ମୁଖ୍ୟଦ୍ୱାର ସମ୍ମୁଖରେ ଦିନରାତି ଧାରଣା ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ଅସ୍ଥାୟୀ ଭାବେ ମଧ୍ୟ ସେମାନେ ଡିସେମ୍ବର ୩୧ଯାଏଁ କାମ କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ସୁଦ୍ଧା ଆଉ ଦରକାର ନାହିଁ କହି ସେମାନଙ୍କୁ ବାହାର ଦିଆଯାଇଛି । ବିଭିନ୍ନ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ୨୧୧ ଜଣ ଏଏନଏମ ମାନଙ୍କୁ ଡାକି ଜୁଲାଇ ୧୫ ରେ ଜିଲ୍ଲା କୋଭିଡ ହସ୍ପିଟାଲରେ ୧୪୭ ଓ ଭିମସାର ରେ ୬୪ ଜଣଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରାଯାଇଥିଲା । ଭିମସାରରେ କାର୍ଯ୍ୟରତ ଏହି ସ୍ୱାସ୍ଥ୍ୟକର୍ମୀ ମାନେ ବର୍ତ୍ତମାନ ମଧ୍ୟ ସେଠାରେ ନିଯୁକ୍ତ ରହିଥିବା ବେଳେ ଏଠାରେ ଜିଲ୍ଲା କୋଭିଡ ହସ୍ପିଟାଲରେ ସେମାନଙ୍କ ପ୍ରତି ଅବିଚାର କରାଯାଇଛି ବୋଲି ସେମାନେ କହୁୁଛନ୍ତି । ପ୍ରଥମେ ଶନିବାର ଦିନ ଆନ୍ଦୋଳନ କଲା ସମୟରେ ସେମାନଙ୍କ ବିଷୟରେ ସୋମବାର ଦିନ ବିଚାର କରାଯିବ ବୋଲି କୁହାଯାଇଥିଲା । ସେକଥା ମାନି ସେମାନେ ସୋମବାର ଦିନ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ, କିନ୍ତୁ ସେଠାରୁ କୌଣସି ନ୍ୟାୟ ନପାଇ ସେଦିନ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ସେତେବେଳେ ଏହା କହି ବିଦା କରାଗଲା ଯେ ଏ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିଷ୍ପତ୍ତି ନେଇଛନ୍ତି, ଏଣୁ ସେ ହିଁ କିଛି କରିପାରିବେ । ସେଠାରୁ ଆସି କୋଭିଡ ହସ୍ପିଟାଲ ସମ୍ମୁଖରେ ବସିବାର ଆଜି ତୃତୀୟ ଦିନ ସୁଦ୍ଧା କେହି ଆସି ସେମାନଙ୍କ ଖବର ନେଇ ନଥିବା ସେମାନେ କହିଛନ୍ତି ।