ସମ୍ବଲପୁର,୧୨/୬- ଆସନ୍ତା ତିନି ଦିନ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ସତର୍କ ଜାରି କରାଯାଇଛି । ଏହାକୁ ନେଇ ଜନସାଧାରଣ ଆଶଙ୍କିତ ରହିଛନ୍ତି । ଏପରିପ୍ରେକ୍ଷୀରେ ବର୍ଷାଜଳ ନିଷ୍କାସନ ପାଇଁ ସମ୍ବଲପୁର ନଗର ନିଗମ ପକ୍ଷରୁ ଗତ କିଛିଦିନ ହେଲା ନାଳ ନର୍ଦ୍ଦମା ସଫେଇ ଅଭିଯାନ ଜାରିରହିଛି । ସମ୍ବଲପୁରଠାରେ ନଗର ନିଗମ ଗଠନ ପରଠାରୁ ଆଜିକୁ ୮ ବର୍ଷ ହୋଇଗଲାଣି ଏପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ ଓ ଏହା ଜିଲ୍ଲା ପ୍ରଶାସନ ଅଧୀନରେ ପରିଚାଳିତ ହୋଇ ଆସୁଛି ।
ସ୍ଥାନୀୟ ଜନସାଧାରଣ ସେମାନଙ୍କ ସୁବିଧା ଅସୁବିଧା ଆଦି ଗୁହାରି କରିବା ପାଇଁ ସେମାନଙ୍କ ଜନ ପ୍ରତିନିଧିଙ୍କ ସ୍ଥାନରେ ଅଧିକାରୀଙ୍କ ଉପରେ ଆଶ୍ରିତ ରହୁଛନ୍ତି । ନାନାଦି ଅଭିଯୋଗ ସତ୍ୱେ ଗତବର୍ଷ ବର୍ଷା ପୂର୍ବରୁ ନାଳ ନର୍ଦ୍ଦମା ଗୁଡ଼ିକର ସଫେଇ ହୋଇପାରି ନଥିଲା । ଏଣୁ ସାମାନ୍ୟ ବର୍ଷାରେ ବିି ତଳିଆ ଅଞ୍ଚଳ ରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା ଓ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ସେସବୁକୁ ଦୃଷ୍ଟିରେ ରଖି ଏବର୍ଷ ନଗର ନିଗମ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି ଓ ସଫେଇ ଅଭିଯାନ ହାତକୁ ନିଆଯାଇଛି ।