ସମ୍ବଲପୁରରେ ଆଜି ନୂଆ ୩୦ ପଜିଟିଭ ଚିହ୍ନଟ, ସ୍ଥିତି ନିୟନ୍ତ୍ରଣରେ ରହିଛି ମୋଟ ୩୦୦ ଜଣ ସକ୍ରିୟ ରହିଛନ୍ତି

ସମ୍ବଲପୁର,୫/୧୧- ସମଗ୍ର ସମ୍ବଲପୁର ଜିଲ୍ଲାରେ ବିଗତ ଦୁଇ ସପ୍ତାହ ହେଲା ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୫୦ ଭିତରେ ସୀମିତ ରହିବାସହ ଆଜି ୩୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯଦିଓ ରାଜ୍ୟସ୍ତରରେ ଏହା ୧୩୮୫ ରହିଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ସମୁଦାୟ ଚିହ୍ନଟଙ୍କ ସଂଖ୍ୟା ୮୧୪୩ ହୋଇଛି ଓ ଏଥିରୁ ୭୭୯୯ ଜଣ ସୁସ୍ଥହୋଇ ଘରକୁ ଫେରିଲେଣି ଏବଂ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାଦ୍ୱାରା ଜିଲ୍ଲାରେ ସୁସ୍ଥତାହାର ୯୬.୧୩ ପ୍ରତିଶତ ରହିଛି, ଅର୍ଥାତ ସକ୍ରିୟତାହାର ୪ ପ୍ରତିଶତରୁ ତଳକୁ ରହିଛି । ଏଭଳି ଉନ୍ନତ ସ୍ଥିତି ଯୋଗୁଁ ଜନସାଧାରଣ ଆଶାନ୍ୱିତ ହୋଇ ରହିଛନ୍ତି । କରୋନା ସଂକ୍ରମଣ ହାର ହ୍ରାସ ପାଇଛି, ଏଣୁ ଦୈନିକ କୋଭିଡ ପରୀକ୍ଷା ମଧ୍ୟ କମେଇ ଦିଆଯାଇଛି । ସଂକ୍ରମଣର ଶୀର୍ଷ ସମୟରେ ଏହି ଜିଲ୍ଲାରେ ଦୈନିକ୨୫୦୦ରୁ ଊର୍ଦ୍ଧ୍ୱ କୋଭିଡ ପରୀକ୍ଷା କରାଯାଉଥିଲା, ଯାହାକି ବର୍ତ୍ତମାନ ୧୨୦୦ ପାଖାପାଖି ହେଉଛି । ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ପରିସଂଖ୍ୟନ ଅନୁସାରେ ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ଦୈନିକ ପ୍ରାୟ ୧୨ ଶହ ଜଣଙ୍କ କୋଭିଡ ପରୀକ୍ଷା(ଆରଏଟି) ସହିତ ପ୍ରାୟ ଶହେଜଣଙ୍କ ଆରଟି-ପିସିଆର ପରୀକ୍ଷା କରାଯାଉଛି । ଜନସାଧାରଣ ଙ୍କ ମନରେ କରୋନା ଭୟ ଏପରି କମିଯାଇଛି ଯେ ସାମାନ୍ୟ ଆଶଙ୍କା ଦେଖାଗଲେ, ଲୋକେ ହୋମ ଆଇସୋଲେଶନରେ ରହି ନିଜେ ନିଜର ଚିକିତ୍ସା କରୁଛନ୍ତି । ଏହାର ଏକ ମାତ୍ର କାରଣ ହେଲା ଯେ ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରୋତ୍ସାହିତ କରୁଛି ।

Comments (0)
Add Comment