ନିୟମ ଭଙ୍ଗକାରୀଙ୍କ ଠାରୁ ୩.୬୦ ଲକ୍ଷ ଟଙ୍କା ଜୋରିମାନା ଅସୁଲ

ସମ୍ବଲପୁର, ୨୫/୬- କରୋନା କଟକଣାକୁ କଡାକଡି ଭାବେ ଲାଗୁ କରିବା ପାଇଁ ବର୍ତ୍ତମାନ ସବୁଆଡେ ପୁଲିସ ସଜାଗ ରହିଛି । ଏତେ କଟକଣା ସତ୍ୱେ କିଛି ଅମାନିଆ ନିୟମ ଭଙ୍ଗ କରି ଜୋରିମାନା ଆଣୁଛନ୍ତି, ଯାହାକି ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ଜିଲ୍ଲାସାରା ପ୍ରାୟ ପ୍ରତ୍ୟେକ ଛକରେ ପୁଲିସ ମୁତୟନ କରାଯାଇଛି ଓ କାହାରିକୁ ଛଡ଼ା ଯାଉନାହିଁ । ନିୟମ ଭଙ୍ଗକାରୀଙ୍କ ଠାରୁ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ହିଁ ଜୋରିମାନା ଅସୁଲ କରାଯାଉଛି । ଏପରିପ୍ରେକ୍ଷୀରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ଏକ ସୂଚନା ଅନୁସାରେ ବିଭିନ୍ନ ନିୟମ ଭଙ୍ଗ ପାଇଁ ବିଗତ ୨୪ଘଣ୍ଟା ମଧ୍ୟରେ ମୋଟ ୩ଲକ୍ଷ ୫୯ ହଜାର ୮୦୦ ଟଙ୍କା ଜୋରିମାନା ଅସୁଲ କରାଯାଇଛି । ହେଲମେଟ ପିନ୍ଧି ନ ଥିବା ଓ ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ପାଇଁ ମୋଟ ୧ ଲକ୍ଷ ୭୯ ହଜାର ୫୦୯ ଟଙ୍କା ଅସୁଲି କରାଯାଇଛି । ଏଥିରେ ଟ୍ରାଫିକ ଥାନା ସର୍ବାଧିକ ୪୧ ଜଣଙ୍କ ଠାରୁ ୬୬ ହଜାର ଟଙ୍କା ଓ ରେଙ୍ଗାଲି ଥାନା ୨୧ ଜଣଙ୍କ ଠାରୁ ୨୧ ହଜାର ଟଙ୍କା ଅସୁଲି କରିଛନ୍ତି । ସେହିପରି ମାସ୍କ ପିନ୍ଧି ନଥିବାରୁ ୩୮୭ ଜଣଙ୍କ ଠାରୁ ୧ ଲକ୍ଷ ୮୦ ହଜାର ୩୦୦ ଟଙ୍କା ଅସୁଲି କରାଯାଇଛି ଓ ଏଥିରେ ଅଇଁଠାପାଲି ଥାନା ଅଞ୍ଚଳରୁ ସର୍ବାଧିକ ୩୦ ଜଣଙ୍କ ଠାରୁ ୧୫ ହଜାର ଟଙ୍କା ଅସୁଲି କରାଯାଇଛି । ଏହା ବ୍ୟତୀତ ଅତି ଦ୍ରୁତ ଗତିରେ ଗାଡ଼ି ଚଳାଇବା ଓ କଟକଣା ଉଲଙ୍ଘନ ଅଭିଯୋଗ ରେ ୨୫ ଜଣଙ୍କ ଠାରୁ ୫୦୦ ଟଙ୍କା ଅସୁଲି କରାଯାଇଛି ।

Comments (0)
Add Comment