ଆଜି ପୁଣି ୧୭ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଛି

ସମ୍ବଲପୁର,୨୭/୭- ଗତକାଲି ପରି ଆଜି ମଧ୍ୟ ୧୭ଜଣଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି ଓ ଏଥିସହିତ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୨୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୪୯ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୧୩୨ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଇତିମଧ୍ୟରେ ଶନିବାର ଦିନଟି ମାତ୍ର ଶୁନ୍ୟ ଚିହ୍ନଟ ହୋଇ ଖୁସିର ବାର୍ତ୍ତା ଦେଇଥିଲା, ଅନ୍ୟଥା ବିଗତ ପ୍ରାୟ ସପ୍ତାହେ ହେଲା ପ୍ରତିଦିନ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୨୦ ପାଖାପାଖି ରହିଛି, ଯାହାକି ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି । ଯାହାହେଉ ଏପରି ସ୍ଥିତିର ପୂର୍ବାନୁମାନ କରି ଜିଲ୍ଲାପାଳ ଶୁଭମ ସକସେନା ଗତ ୨୨ଜୁଲାଇରୁ ଦଶଦିନ ପାଇଁ ଦୁଇଟି ପର୍ଯ୍ୟାୟରେ ସଟଡାଉନ ଘୋଷଣା କରିଛନ୍ତି ଓ ଏଥିପାଇଁ ଏଠାରେ ସ୍ଥିତି ଯଥେଷ୍ଟ ନିୟନ୍ତ୍ରଣରେ ରହିଛି । ଗତକାଲି ଠାରୁ ଆରମ୍ଭ ସଟଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ସକାଳ ୬ଟାରୁ ଦ୍ୱିପହର ଗୋଟାଏ ପର୍ଯ୍ୟନ୍ତ ଲୋକେ ଖାଦ୍ୟପେୟ କିଣି ପାରିବେ ବୋଲି କିରାନା, ପନିପରିବା, ଫଳମୂଳ ଓ କ୍ଷୀର ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଅବଶ୍ୟ ମେଡିସିନ ଦୋକାନ ସବୁକୁ ନିୟମିତ ରୂପେ ଖୋଲା ରଖିବା ପାଇଁ କୁହାଯାଇଛି । ଚାରିଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ ପରେ ଗତକାଲି ସକାଳେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା ଓ ଅଧିକାଂଶ ସ୍ଥାନରେ ଲୋକେ ଛାନିଆ ହୋଇ କିଣାକିଣି କରିବାରୁ ବଜାରରେ ହଠାତ ଅହେତୁକ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଜି କିନ୍ତୁ ସ୍ଥିତିରେ ଯଥେଷ୍ଟ ଉନ୍ନତି ଦେଖା ଦେଇଛି ଓ ଗତକାଲି ପରି ଭିଡ଼ ଦେଖା ଯାଇନାହିଁ । ସଟଡାଉନ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ପୁଲିସ ସକ୍ରିୟ ହୋଇ ଦ୍ୱିପହର ଗୋଟାଏ ସମୟ ପରେ ଦୋକାନ ଗୁଡ଼ିକୁ ବନ୍ଦ କରାଉଛି । ଗତକାଲି ଏହି ନିୟମ ଉଲଘଂନ କରି କିଛି ଦୋକାନୀ ଜୋରିମାନା ଦେଲା ପରେ ଆଜି ଆଉ କେହି ସେପରି ସାହସ ଦେଖାଇବାକୁ ଚେଷ୍ଟା କରିନଥିଲେ ।

Comments (0)
Add Comment