ସମ୍ବଲପୁର,୨୭/୬- ଏହି ମାଟିର ଆଜି ଜଣେ ସୁଯୋଗ୍ୟ ସନ୍ତାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ହରାଇଛି । ଜଣେ ମଦୁଆ ମାତ୍ର ଶହେ ଟଙ୍କା ପାଇଁ ନିର୍ମମ ଭାବେ ହାଣି ହତ୍ୟା କରିଛି ନା ଏହା ପଛରେ ଆଉ କିଛି କାରଣ ତଦନ୍ତସାପେକ୍ଷ । ଯଦି ଏହା ସତ୍ୟ ଏହା ନିଃସନ୍ଦେହ ଏକ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ ସାମାନ୍ୟ କିଛି ରାଜସ୍ୱ ପାଇଁ ଆମେ ମଦ ବ୍ୟବସାୟକୁ ସମ୍ପୂର୍ଣ୍ଣ ଲଗାମଛୋଡ କରି ଦେଇଛୁ । ଏହି ଘଟଣା ପରେ ଏ ଦିଗ ପ୍ରତି ଚିନ୍ତା କରିବାର ସମୟ ଆସିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପ୍ରଫେସର ନାଏକ ସ୍ମରଣୀୟ ହୋଇରହିବେ । ଜୀବବିଜ୍ଞାନର ଜଣେ ଛାତ୍ର, ଅନୁସନ୍ଧାନୀ ଓ ଶିକ୍ଷକ ହୋଇ ମଧ୍ୟ କଳା ଓ ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ନିଷ୍ଠା ଓ ପ୍ରେମ ଥିଲା, ଯାହାକି ଜଣେ କୁଳପତି ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ ସେ ପ୍ରମାଣିତ କରିଯାଇଛନ୍ତି ।
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଏପରି ଥିଲା ଯେ କବିଙ୍କ ସ୍ମୃତି ରକ୍ଷା ସହିତ ତାଙ୍କର ରଚିତ ସାହିତ୍ୟର ଅନୁବାଦ କାର୍ଯ୍ୟକୁ ସେ ଯଥେଷ୍ଟ ଉତ୍ସାହିତ କରିଥିଲେ । କେବଳ ସେତିକି ନୁହେଁ, କବି ବିନୋଦ ନାଏକଙ୍କ କୃତିତ୍ୱର ଲୋକପ୍ରିୟତା ବୃଦ୍ଧି ପାଇଁ ତାଙ୍କର ଅବଦାନ କିଛି କମ୍ ନଥିଲା । ତାଙ୍କର କାର୍ଯ୍ୟକାଳ ସମୟରେ କେବଳ ସମ୍ବଲପୁର କାହିଁକି ପୁରା ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଭାଷା ସାହିତ୍ୟକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖି ସେ ତାକୁ ବିଶ୍ୱବିଦ୍ୟାଳୟରେ ସ୍ଥାନିତ କରିଥିଲେ । ସମ୍ବଲପୁରୀ ଭାଷାରେ ମହାଭାରତ କଥା, ରାମରାହା ଏବଂ ବ୍ୟାକରଣ ବହି ପ୍ରକାଶ କରାଇଥିଲେ । ଭାଷାବିବାଦକୁ ନେଇ ଯଥେଷ୍ଟ ଟଣାଓଟରା ଲାଗି ରହିଥିବା ସତ୍ୱେ କୌଣସି ବିବାଦ ପ୍ରତି ତାଙ୍କର ଭୃକ୍ଷେପ ନଥିଲା । ସମ୍ବଲପୁର ସେତେବେଳକୁ ମିଡ଼ିଆର ଏକ ସକ୍ରିୟ କେନ୍ଦ୍ର ରୂପେ ପରିଚିତ ହୋଇଥିଲେ ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏବିଷୟରେ କୌଣସି ପାଠ୍ୟକ୍ରମ ନଥିଲା । ଏଥିପାଇଁ ବିଶେଷ ଚିନ୍ତାକଲା ପରେ ସେଠାରେ ସେ ସାମ୍ବାଦିକତା ଶିକ୍ଷା ପାଇଁ ଏକ ଡିପ୍ଲୋମା ପାଠ୍ୟକ୍ରମ ପ୍ରଚଳନ ସକାଶେ ପ୍ରସ୍ତାବ ରଖିଥିଲେ । ତାହା ୨୦୦୦- ୨୦୧୫ ଦୀର୍ଘ ଷୋଳହ ବର୍ଷ ପର୍ଯ୍ୟନ୍ତ ପ୍ରଚଳିତ ହୋଇ ରହିଥିଲା ଓ ସମ୍ବଲପୁର ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମୁକ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ପରେ ବନ୍ଦ ହୋଇଥିଲା । ଏଭଳି ଜଣେ ପଶ୍ଚିମ ଓଡିଶାର ସୁଯୋଗ୍ୟ ସନ୍ତାନକୁ ହରାଇ ସମସ୍ତେ ମର୍ମାହତ ।