ବିକାଶ ଯୋଜନା ପାଇଁ ଜିଲ୍ଲା ପ୍ରଶାସନର ଆନ୍ତରିକତା ନାହିଁ ଆତ୍ମନିର୍ଭରଶୀଳ ଭାରତକୁ ନେଇ ଭାଜପାର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ

ସମ୍ବଲପୁର, ୧୩/୭ – ପ୍ରଧାନମନ୍ତ୍ରୀଙ୍କ ବହୁଚର୍ଚ୍ଚିତ ଆତ୍ମନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମକୁ ନେଇ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଆଜିକାର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି ଯେ ବିକାଶ ଯୋଜନା ପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରୁନାହିଁ । ଭାଜପାର ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିକାର ଏହି ସାମ୍ବାଦିକ ସମ୍ମିଳନୀରେ ରେଙ୍ଗାଲି ବିଧାୟକ ଓ ରାଜ୍ୟ ଉପସଭାପତି ନାଉରୀ ନାଏକ ମୁଖ୍ୟ ଆକର୍ଷଣ ଥିଲେ । ସେ କହିଲେ ଯେ ଲକଡାଉନର ପ୍ରଥମ ପର୍ଯ୍ୟାୟରୁ ଚାଉଳ, ଡାଲି ଓ କିରାସିନି ଆବଣ୍ଟନରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ସେ ବାବଦରେ ଭାଜପା ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସତ୍ତେ୍ୱ ସେ ଦିଗରେ କାର୍ଯ୍ୟାନୁଷ୍ଠାନ କିଛି କରାଯାଇନଥିଲା । ସେହିପରି ଅନ୍ୟ ରାଜ୍ୟରୁ ଆମ ଜିଲ୍ଲାକୁ ଆସିଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଦେଇଥିବା ଅନୁଦାନ ରାଶି ପ୍ରକୃତ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରି ନଥିଲା । ପ୍ରଥମେ ଏହାର ଦାୟିତ୍ୱ ସମ୍ବଲପୁର ମହାନଗର ନିଗମକୁ ଦିଆଗଲା କିନ୍ତୁ ସେମାନେ ଶ୍ରମିକଙ୍କ ଚିହ୍ନଟ ପ୍ରକ୍ରିୟାରେ ବିଫଳ ହୋଇ ପ୍ରାପ୍ତ ଧନରାଶି ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଫେରାଇ ଦେଇଥିଲେ । ବର୍ତମାନ ସେହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମରୁ ସମ୍ବଲପୁର ଜିଲ୍ଲାକୁ ଲାଭାନ୍ୱିତ କରିବାପାଇଁ ଜିଲ୍ଲା ପ୍ରଶାସନ ପାଖରେ କିଛି ଖସଡ଼ା ପ୍ରସ୍ତୁତ କରାଯାଇନଥିବାରୁ ଶ୍ରୀ ନାଏକ କ୍ଷୋଭ ଜଣାଇଥିଲେ । ସମ୍ବଲପୁର ଜିଲ୍ଲାର ଦୁଇଟି ଉପଖଣ୍ଡରେ ପ୍ରାୟ ଶହେ ଟନରୁ ଊର୍ଦ୍ଧ୍ୱ ଶାଳମଞ୍ଜି ଏକତ୍ରିତ ହୋଇପଡ଼ିଛି ଓ ଏହାକୁ କିଣିବା ପାଇଁ ଜିଲ୍ଲା ପ୍ରଶାସନ କିଛି ଚେଷ୍ଟା ମଧ୍ୟ କରୁନାହିଁ । ଏହିପରି ଆହୁରି ୩୮ପ୍ରକାରର ବନଜାତ ଦ୍ରବ୍ୟ ସଂଗ୍ରହକରି ଅନେକ ଆଦିବାସୀ ପରିବାର ସେମାନଙ୍କ ଗୁଜୁରାଣ ମେଣ୍ଟାଇଥାନ୍ତି କିନ୍ତୁ ଜିଲ୍ଲା ପ୍ରଶାସନ ପାଖରେ ଆନ୍ତରିକତା ଅଭାବରୁ ସେମାନଙ୍କ ଜୀବନ ଯାପନ ବିପନ୍ନ ହୋଇପଡିଛି । ଏହି ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭରେ ପାର୍ଟିର ଆଞ୍ଚଳିକ ମିଡ଼ିଆ ସଂଯୋଜକ ମାନସ ରଞ୍ଜନ ବକ୍ସି ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ଓ କୁଚିଣ୍ଡାର ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ ଓ ଦେବେନ୍ଦ୍ର ଶତପଥୀ ଆଦି ସାମିଲ ହୋଇଥିଲେ ।

Comments (0)
Add Comment