ସମ୍ବଲପୁର,୨୫/୭- ଐତିହାସିକ ନଗରୀ ସମ୍ବଲପୁରର ମଝାମଝି ଦେଇ ଫ୍ଲାଇଓଭର ନିର୍ମାଣ ଏପର୍ଯ୍ୟନ୍ତ ପୁରା ହୋଇପାରୁନାହିଁ । ଏହାଦ୍ୱାରା ଯିବାଆସିବାରେ ଲୋକଙ୍କ ଅସୁବିଧା ଓ ଅସନ୍ତୋଷ ପ୍ରତି ପ୍ରଶାସନ ଚୁପ୍ ହୋଇ ବସିଛି । ଏବିଷୟରେ ଯେତେ ସ୍ୱର ଉତ୍ତୋଳନ କଲେ ମଧ୍ୟ କିଛି ଲାଭ ହେଲାନାହିଁ । ଏହି ସମସ୍ୟାକୁ ହୃଦୟଙ୍ଗମ କରି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଏଦିଗରେ ଚେଷ୍ଟା ଆରମ୍ଭ କରିଛି । ସଂଘ କର୍ମକର୍ତ୍ତା ଏଥିପାଇଁ ଜିଲ୍ଲା ପୂର୍ତ୍ତ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଲୋଚନା କରିଥିଲେ । ଏହି ସମସ୍ୟା ଏପରି ଭାବେ ଗୋଳମାଳିଆ ହୋଇ ରହିଛି ଯେ ନିର୍ବାହୀ ଯନ୍ତ୍ରୀ ମଧ୍ୟ ଏଥିପାଇଁ କିଛି କରିବାରେ ନିଜ ଅସହାୟତା ପ୍ରକାଶ କରିଥିଲେ । ଏଥିରେ ଫ୍ଲାଇଓଭରର ମୂଳ ଡିଜାଇନ୍ ପରିବର୍ତ୍ତନ ବିରୁଦ୍ଧରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ଓ ଅଦାଲତ ଦ୍ୱାରା ଜାରି ନିର୍ଦ୍ଦେଶ ପାଳନ କରିବାରେ କର୍ତ୍ତୃପକ୍ଷ ନିରବ ରହିଛନ୍ତି । ଅନ୍ୟପକ୍ଷେ ଏହାର ଦୁଇ ପାର୍ଶ୍ୱରେ ସର୍ଭିସରୋଡ ନିର୍ମାଣ ପାଇଁ ଭୂମି ଅଧିଗ୍ରହଣ କାର୍ଯ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ ।
ଏହି ବକେୟା କାମ ପୁରା କରାଇବା ପାଇଁ ଜିଲ୍ଲା ପ୍ରଶାସନ ବାରମ୍ବାର ଚାପ ପ୍ରୟୋଗ କରି ବିଫଳ ହୋଇଛି । ଏଭଳି ପରିସ୍ଥିତିରେ ଦଖଲ ଦେଇ ଓକିଲ ସଂଘ ନିର୍ବାହୀଯନ୍ତ୍ରୀଙ୍କୁ ଚରମବାଣୀ ଶୁଣାଇ କହିଛି ଯେ ଆଗାମୀ ଅଗଷ୍ଟ ୧୫ ମଧ୍ୟରେ କୌଣସିମତେ ଏହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣକରି ଏହାର ଉଦଘାଟନ ସହିତ ଜନସାଧାରଣଙ୍କପାଇଁ ଖୋଲାଯାଉ ନଚେତ ସଂଘ ନିଜ ହିସାବରେ ଏଥିରେ ଦଖଲ ଦେବ ଓ ପରିଣାମ ପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ।