ଆଞ୍ଚଳିକ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ସାଂସଦଙ୍କ ଆଲୋଚନା

ସମ୍ବଲପୁର,୧୩/୧୧ – ସମ୍ବଲପୁର ଓ ଆଖପାଖ ଜିଲ୍ଲାରେ ଦିନକୁଦିନ ଗଢି ଉଠୁଥିବା ବୃହତ ଶିଳ୍ପାନୁଷ୍ଠାନ ଓ ଖଣିଖନନ ପାଇଁ ଜନସଂଖ୍ୟା ବୃଦ୍ଧି ସହିତ ଯାନବାହାନ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବଢିଛି । ବିଶେଷକରି ମାଲ ପରିବହନ ପାଇଁ ଭାରି ଯାନବାହନର ଆବାଗମନ ପାଇଁ ଆବଶ୍ୟକୀୟ ରାସ୍ତା ନଥିବାରୁ ଅଯଥାରେ ଦେଖାଯାଉଛି ଟ୍ରାଫିକ ସମସ୍ୟା ଓ ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ବର୍ଷବର୍ଷ ଧରି ମନ୍ଥର ଗତିରେ ଚାଲିଛି ବିଭିନ୍ନ ରାଜପଥର ସମ୍ପ୍ରସାରଣ ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାରଙ୍କ ଅସହଯୋଗ ଓ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଆଗେଇ ପାରୁନାହିଁ ଅନେକ ପ୍ରକଳ୍ପ । ଏସବୁ ଅବ୍ୟବସ୍ଥା ପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ବହୁ ସମୟରେ ଏଥିପାଇଁ ମୁଣ୍ଡ ଟେକୁଛି ଅନେକ ଜନଆନ୍ଦୋଳନ । ଏସବୁକୁ ଦୃଷ୍ଟିରେ ରଖି ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଅଧିକାରୀ ଓ ବିଭିନ୍ନ ଠିକା ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ସଞ୍ଚାଳିତ ବିଭିନ୍ନ ପ୍ରକଳ୍ପ ସଙ୍ଗେସଙ୍ଗେ ଅନେକ ନୂତନ ପ୍ରକଳ୍ପ ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ । ବରଗଡ଼, ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରାଷ୍ଟ୍ରୀୟ ରାଜମାର୍ଗର ପ୍ରଶସ୍ତିକରଣ, ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ବରଗଡ ମୁନିସିପାଲିଟିର ଚତୁର୍ଦ୍ଦିଗରେ ରିଂରୋଡ, ବରଗଡରୁ ବିକାଶ ହସ୍ପିଟାଲ ପର୍ଯ୍ୟନ୍ତ ଫ୍ଲାଏଓଭର, ସୋହେଲା ସର୍ଭିସ ରୋଡ, ସୋହେଲା ଫୁଟଓଭର ବ୍ରିଜ, ଘୁଲିପାଲି ଫୁଟଓଭର ବ୍ରିଜ ଏବଂ ସର୍ଭିସ ରୋଡ଼, ଭଟଲି ଛକ ଦୁଇପାଶ୍ୱର୍, ବ୍ରହ୍ମଚାରି, ପ୍ରଧାନପାଲି ଏବଂ ଝାରମୁଡାରେ ସ୍ଲିପରୋଡ଼ । ରେଙ୍ଗାଲି କେମ୍ପ, ଦଶମାଇଲ ଛକରେ ସର୍ଭିସ ରୋଡ଼ । ହଲଦୀପାଳି ପାଖ ସହୀଦ ଛକ, ସୋହେଲା ଛକର ସୌନ୍ଦର୍ଯ୍ୟ କରଣ, ସୋହେଲା-ବରପାଲି-ବିନିକାର ସଂଯୋଗୀକରଣ, ଏହା ସହିତ ଝାରସୁଗୁଡା – ବେଲପାହାଡ଼ ଜାତୀୟ ରାଜପଥ ୪୯ ଓ ଝାରସୁଗୁଡା – ତିଲେଇବଣି ରାସ୍ତାକୁ ୪ ଲେନ ପ୍ରସ୍ତାବ, ପ୍ରସନ୍ନ ପଣ୍ଡା ଛକରେ ଫ୍ଲାଏଓଭର ବ୍ରିଜ ସହିତ ଇବ ନଦୀ ଉପରେ ଝୁଲନ୍ତା ବ୍ରିଜ ପାଇଁ ସେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ସମ୍ବଲପୁର ଅନୁଗୁଳ ରାଷ୍ଟ୍ରୀୟ ରାଜମାର୍ଗର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଥିଲେ । ବଡରମା ରାଷ୍ଟ୍ରୀୟ ରାଜମାର୍ଗ ପ୍ରଶସ୍ତିକରଣ ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ । ସମ୍ବଲପୁରର ଲକ୍ଷ୍ମୀ ଡୁଙ୍ଗରିରେ ସୁଡଙ୍ଗ ପଥ, ଅଇଁଠାପାଲି ଫ୍ଲାଏଓଭର, ସେଣ୍ଟଜୋନ ଛକରେ ରୋଡ଼ ଅଣ୍ଡର ପାସ ଆଦି କିଛି ପ୍ରକଳ୍ପ ପ୍ରତି ସେ ଆଗ୍ରହ ଜଣାଇଥିଲେ । ଏହି ଆଲୋଚନାରେ ଏନଏଚଏଆଇର ରିଜିଓନାଲ ଅଧିକାରୀ ରାମପ୍ରସାଦ ପଣ୍ଡା ଓ ପ୍ରକଳ୍ପ ନିର୍ଦ୍ଦେଶକ ଭେଙ୍କଟେଶ୍ୱରଲୁ, ଭଟ ଭୋଇ, ଅଶୋକା ବିଲ୍ଡକନ ଓ ଗାୟିତ୍ରୀ କଂଷ୍ଟ୍ରକ୍ସନର ପ୍ରତିନିଧି , ବରଗଡ଼ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ଝାରସୁଗୁଡା ବିଜେପି ପୂର୍ବତନ ସଭାପତି ଦୀନେଶ ଜୈନ ଉପସ୍ଥିତ ରହିଥିଲେ । ଏ ସମସ୍ତ ବିଷୟରେ ଆଲୋଚନାକରି ଅତି ଶୀଘ୍ର ଶେଷକରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

Comments (0)
Add Comment