ସମସ୍ତ ସତର୍କତା ସହିତ ଶୀତଳଷଷ୍ଠୀ ଯାତ୍ରା ପାଳନ ପାଇଁ ଘୋଷଣା

ସମ୍ବଲପୁର, ୧୧/୬- ଗତକାଲି ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି, ଝାଡୁଆପଡ଼ା କାର୍ଯ୍ୟାଳୟରେ ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ବସିଥିଲା । ଆସନ୍ତା ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ କେମିତି ଶାନ୍ତିଶୃଙ୍ଖଳା ସହ ଶିବବିବାହ ଉତ୍ସବ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଗତ ଥର ଯେମିତି କୋଭିଡ ନିୟମ ମାନି ସବୁ କାର୍ଯ୍ୟକ୍ରମ ହୋଇଥିଲା,ଏ ବର୍ଷ ମଧ୍ୟ ସେହିପରି ଭାବରେ ସମସ୍ତ କାର୍ଯ୍ୟକ୍ରମ ପାଇଁ ତିନି କମିଟି ନିଷ୍ପତ୍ତି ନେଇଥିଲେ । ଯେହେତୁ ସମ୍ବଲପୁରରେ ସଂକ୍ରମଣ ସଂଖ୍ୟା କମି ଆସୁଛି, ତେଣୁ ଆସନ୍ତା ୧୬ ଓ ୧୭ ତାରିଖ ରେ ଲୋକଙ୍କପାଇଁ କୋଭିଡ ନିୟମ ଅନୁସାରେ ଯୁଗଳ ମୂର୍ତ୍ତି ଦର୍ଶନର ମଧ୍ୟ ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ହୋଇଛି । ସମଗ୍ର ପଶ୍ଚିମ ଓଡିଶାର ସର୍ବାଧିକ ଲୋକପ୍ରିୟ ପର୍ବ ହୋଇଥିଲେ ମଧ୍ୟ ଏଥିପାଇଁ ଗତ ୨୦୧୯ ମସିହା ରୁ ସରକାରୀ ଅନୁଦାନ ବନ୍ଦ କରିଥିବାରୁ କମିଟି ସଦସ୍ୟଗଣ କ୍ଷୋଭ ପ୍ରକାଶ କରିଥିଲେ । ଯାତ୍ରା ନ ହେଲେ ମଧ୍ୟ ପ୍ରତ୍ୟେକ କମିଟି ବ୍ୟୟ ପ୍ରାୟ ୭ ଲକ୍ଷରୁ ଅଧିକ ହେଉଛି । ସେଥିପାଇଁ ସରକାରୀ ଅନୁଦାନ ୧୫ ତାରିଖ ପୂର୍ବରୁ ୨୫ ଲକ୍ଷ ଟଙ୍କା ଘୋଷଣା କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି । ଗତ ୪୦୦ ବର୍ଷର ପରମ୍ପରା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ମହତ୍ତ୍ୱ ରହିଛି କିନ୍ତୁ ସରକାର ଆଜିପର୍ଯ୍ୟନ୍ତ ଏହି ଯାତ୍ରା ଉତ୍ସବକୁ ସେ ହିସାବରେ ଗୁରୁତ୍ୱ ଦେଉନାହାନ୍ତି । ଆଉ ମାତ୍ର ଗୋଟିଏ ଦିନ ପରେ ଶୀତଳଷଷ୍ଠୀ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି କିନ୍ତୁ ଆଜିପର୍ଯ୍ୟନ୍ତ ନା ଜିଲ୍ଲା ପ୍ରଶାସନ ନା ପୋଲିସ ପ୍ରଶାସନର କେହି ଜଣେ ମଧ୍ୟ ଥରେ ହେଲେ କମିଟିକୁ ପଚାରିବାକୁ ଆସି ନାହାନ୍ତି,ଯେ କେମିତି କଣ କରୁଛନ୍ତି,ନା କିଛି ନିର୍ଦ୍ଦେଶ ଦେଇଛନ୍ତି ଯାହା ପାଇଁ କମିଟି ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଦୁଇ ବର୍ଷ ହେଲା କୌଣସି ପ୍ରକାର ଅନୁଦାନ ଆଦାୟ ପାଇଁ କିଛି ଚେଷ୍ଟା କରାଯାଇ ନାହିଁ । ଭକ୍ତଙ୍କ ପକ୍ଷରୁ ଥାଳରେ ପଡିଥିବା ଅର୍ଥ ଏବଂ କମିଟିର ସଞ୍ଚୟ କରିଥିବା ଅର୍ଥରେ ଶୀତଳଷଷ୍ଠୀ ବିବାହ ଉତ୍ସବ ଆୟୋଜନ କରାଯାଉଛି ବୋଲି କୁହାଯାଇଛି । ସରକାର ଶୀଘ୍ର ଆର୍ଥିକ ଅନୁଦାନ ଘୋଷଣା କରନ୍ତୁ ବୋଲି ତିନିକମିଟି ସଦସ୍ୟମାନେ ଦାବି କରିଥିଲେ । ଏହି ବୈଠକରେ ଝାଡୁଆପଡ଼ା କମିଟିର ସରୋଜ ଦଳପତ, ସୁଶାନ୍ତ ପୁରୋହିତ, ଅଭିଷେକ ମିଶ୍ର, ସରୋଜ ସାହୁ, ନନ୍ଦପଡ଼ା କମିଟିର ଫଣିଭୂଷଣ ମିଶ୍ର, ସମୀର ବାବୁ, ପ୍ରଭୁଦତ୍ତ ପଣ୍ଡା ଓ ମୁଦିପଡା କମିଟିର ସୁନୀଲ ଦାସ ଯୋଗ ଦେଇଥିଲେ ।

Comments (0)
Add Comment