ଚିନ୍ତା ବଢାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଆଜି ପୁଣି ନୂଆ ୧୦୫ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,୧୦/୧୦- ସୁସ୍ଥତାହାରରେ ସାମାନ୍ୟ ଉନ୍ନତି ସତ୍ତେ୍ୱ କରୋନା ଆକ୍ରାନ୍ତଙ୍କ ନିରନ୍ତର ସଂଖ୍ୟାବୃଦ୍ଧି ଚିନ୍ତା ବଢାଉଛି । ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରାପ୍ତ କରୋନା ଆକ୍ରାନ୍ତଙ୍କ ବିଷୟରେ ପରିସଂଖ୍ୟାନ ଉପରେ ଜନସାଧାରଣ ଆଉ ବିଶ୍ୱାସ କରିପାରୁନାହାନ୍ତି । ବିଶେଷକରି ମୃତ ବ୍ୟକ୍ତିଙ୍କ ବିଷୟରେ ସୂଚନା ଏପରି ଭାବରେ ଚାପି ରଖାଯାଉଛି, ଯେ ପ୍ରଶାସନ ଉପରେ ଧିରେ ଧିରେ ଲୋକଙ୍କ ଆସ୍ଥା କମିଯାଉଛି । ଦୈନିକ ହାରାହାରି ମୃତ୍ୟୁ ସଂଖ୍ୟା ୫ରୁ ଅଧିକ ରହୁଛି, ଯାହାକି ଲୋକେ ସ୍ୱଚକ୍ଷୁରେ ଦେଖୁଛନ୍ତି, ହେଲେ ପ୍ରଶାସନିକ ସଂଖ୍ୟାନରେ ସେଗୁଡିକ ସ୍ଥାନ ପାଉନଥିବା ଅଭିଯୋଗ ରହୁଛି । ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ପୁଣି ନୂଆ ୧୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏହି ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ପାରହୋଇ ୭୦୭୬ରେ ପହଞ୍ଚିଗଲାଣି । ଏଥିରୁ ୫୮୨୫ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହିତ ୨୪ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ସକ୍ରିୟ ୧୨୨୯ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି । ଏହିପ୍ରକାରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ରେ ସୁସ୍ଥତାହାର ୮୩.୫୬ ପ୍ରତିଶତ, ସକ୍ରିୟହାର ୧୬.୧୦ ପ୍ରତିଶତ ଓ ମୃତ୍ୟୁହାର ୦.୩୪ ପ୍ରତିଶତ ରହିଛି । ବିଗତ ଦିନର ସ୍ଥିତି ଅନୁସାରେ ସୁସ୍ଥତାହାରରେ ସାମାନ୍ୟ ଉନ୍ନତି ଆସିଥିଲେ ମଧ୍ୟ ଦୈନନ୍ଦିନ ଶତାଧିକ ଆକ୍ରାନ୍ତ ହେଉଛନ୍ତି, ଯାହାକି ନିଃସନ୍ଦେହ ଚିନ୍ତାର ବିଷୟ ।

Comments (0)
Add Comment