ସମ୍ବଲପୁର,୨୬/୮- ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ବୃଦ୍ଧିପାଉଛି ଓ ଏହିକ୍ରମରେ ଆଜି ୩୩୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ଆଜି ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୦୭ ଘୋଷଣା କରାଯାଇଛି ଓ ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୭୦ରେ ପହଞ୍ଚିଛି । ଗତକାଲିକୁ ଛାଡିଦେଲେ ବିଗତ ୫ଦିନ ହେଲା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଶତକ ଉପରେ ରହୁଛି । ଏଣୁ ସଂକ୍ରମିତ ଅଞ୍ଚଳରେ ଏକ୍ଟିଭ ସର୍ଭେଲାନ୍ସ ଜରିଆରେ ଘରେ ଘରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରାଯାଉଛି ।
ଏଥିରେ ଦ୍ୱିମତ ନାହିଁ ଯେ ସମ୍ବଲପୁର ମହାନଗର ଅଞ୍ଚଳରେ ବର୍ତ୍ତମାନ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, କିନ୍ତୁ କାହାରିକୁ ଏବିଷୟରେ ପରୀକ୍ଷା ରିପୋର୍ଟ ମିଳୁ ନ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବଢୁଛି । ଏପରି ଅସନ୍ତୋଷ ଜଣାଇ ପରୀକ୍ଷା ରିପୋର୍ଟ ଦାବିକରି ସ୍ଥାନୀୟ ତଅଲାପଡାରେ ଜଣେ ଯୁବକ ଗିରଫ ହୋଇଛି ଓ ଏବିଷୟରେ ପୁଲିସ ଏହାକୁ ସରକାରୀ କାର୍ଯ୍ୟରେ ବାଧା ଦେବା ଓ ଆଶାକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ରୂପେ ମାମଲା ରୁଜୁ କରିଛି । ଏହି ଘଟଣା ଭିଡିଓ ରେକର୍ଡ କରି ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରାଯାଇଛି ଓ ଏହା ଭାଇରଲ ମଧ୍ୟ ହୋଇଛି । ଏହି ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଉକ୍ତ ଘଟଣାରେ ଆଶାକର୍ମୀଙ୍କ ପ୍ରତି କିଛି ଦୁର୍ବ୍ୟବହାର କରିନାହିଁ ଓ ସମ୍ମାନ ସହିତ ନାନୀ ବୋଲି ସମ୍ବୋଧନ କରିଛି । ଅବଶ୍ୟ ଉତ୍ତେଜନା ଯୋଗୁଁ ହୋଇ ଉଚ୍ଚସ୍ୱରରେ ବଚସା ହୋଇଥିଲା । ସନ୍ଦିଗ୍ଧ କରୋନା ରୋଗୀଙ୍କ ପରୀକ୍ଷା ନିହାତି ଆବଶ୍ୟକ, କିନ୍ତୁ ଏହି ପ୍ରକ୍ରିୟାରେ କାହିଁକି ପାରଦର୍ଶିତା ରଖାଯାଉ ନାହିଁ, ତାହା ସ୍ପଷ୍ଟ ହେବା ଅତ୍ୟାବଶ୍ୟକ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି ।